ଅଭାବନୀୟ ଘଟଣା : ଗୁଣିଗାରେଡି ସନ୍ଦେହରେ ୪ ଜଣଙ୍କୁ ଆକ୍ରମଣ, ଏତଲା ଦେଇଥିବାରୁ ଜଣେ ପୀଡ଼ିତଙ୍କ ପତ୍ନୀଙ୍କୁ ହତ୍ୟା !

କବିସୂର୍ଯ୍ୟନଗର – ଅନ୍ଧ ବିଶ୍ବାସର ଭୟଙ୍କର ପରିଣାମ । ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ସେ ଥାନାରେ ଏତଲା ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗାଁରେ ଘଟିଛି ଏହି ଘଟଣା । ଗ୍ରାମର ରାଜେନ୍ଦ୍ର ନାହାକ ନଦୀରୁ ଗାଧୋଇ ଫେରୁଥିବା ବେଳେ କିଛି ଗାଁ ଲୋକେ ତାଙ୍କୁ ଉଠାଇ ନେଇ ଆକ୍ରମଣ କରିଥିଲେ। ରାଜେନ୍ଦ୍ରଙ୍କ ସହିତ ଅନ୍ୟ ତିନିଜଣ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ ଗାଁରେ ଜଣକୁ ପ୍ରେତାତ୍ମା ଲାଗିବା ପରେ ସେ ଗାଁର ଚାରିଜଣ ଗୁଣିଆଙ୍କ ନାମ କହିଥିଲା। ଏହାପରେ ଗାଁର କିଛି ଲୋକ ରାଜେନ୍ଦ୍ରଙ୍କ ସମେତ ଚାରିଜଣଙ୍କୁ ଖୋଜି ମରଣାନ୍ତକ ଆକ୍ରମଣ କରିଛନ୍ତି। କୌଶଳ କ୍ରମେ ରାଜେନ୍ଦ୍ର ଗାଁ ବାହାରକୁ ଚାଲିଆସିବାରେ ସଫଳ ହୋଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଟକ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବା ପାଇଁ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ୪ ପ୍ଲାଟୁନ ପୁଲିସ ସହ ଗ୍ରାମରେ ଚଢ଼ାଉ କରିଥିଲେ। ଏହି ମାମଲାରେ ୯ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି।

Comments are closed.