ଜଙ୍ଗଲରେ ଚମତ୍କାର: ବିମାନ ଦୁର୍ଘଟଣାର ୪୦ ଦିନ ପରେ ଚାରି ଛୋଟ ପିଲା ଜୀବିତ ଉଦ୍ଧାର

ବୋଗୋଟା: କଲମ୍ବିଆରେ ଏକ ବିମାନ ଦୁର୍ଘଟଣାର ପ୍ରାୟ ୪୦ ଦିନ ପରେ ଚମତ୍କାର ଭାବେ ଚାରି ଜଣ ପିଲା ଜୀବିତ ଉଦ୍ଧାର ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ରହିଛି।

ମେ ୧ରେ ଏକ ବିମାନ ଆମାଜନ ଜଙ୍ଗଲରେ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ଚାରି ଛୋଟ ପିଲା ବଞ୍ଚି ଯାଇଥିବା ସୂଚନା ଦେଇଛନ୍ତି ଦେଶର ରାଷ୍ଟ୍ରପତି । ଏହି ଚାରି ଶିଶୁ ଭାଇଭଉଣୀ ବୋଲି ଜଣାପଡ଼ିଛି ।

ଦୁର୍ଘଟଣା ସମୟରେ ଏହି ଚାରି ଭାଇଭଉଣୀ ସେମାନଙ୍କ ମା, ପାଇଲଟ୍ ଏବଂ ସହ-ପାଇଲଟଙ୍କ ସହ ବିମାନରେ ଥିଲେ। ପିଲାମାନଙ୍କର ବୟସ ୧୩, ୯, ୪ ଏବଂ ଏକ ବର୍ଷ ବୋଲି କୁହାଯାଇଛି ।

ଏହି ବିମାନ ଦୁର୍ଘଟଣାରେ ପିଲାମାନଙ୍କର ମା ଏବଂ ଅନ୍ୟ ଲୋକଙ୍କ ମୃତ୍ୟୁ ଘଟିଥିଲା ।

କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି, ବହୁଦିନ ଧରି ଖୋଜାଖୋଜି ପରେ ଏହି ପିଲାମାନେ ଜୀବିତ ମିଳିବା ସମଗ୍ର ଦେଶ ପାଇଁ ଖୁସିର ବିଷୟ।

ସେ କହିଛନ୍ତି, ପିଲାମାନେ ଘଞ୍ଚ ଜଙ୍ଗଲରେ ଏତେଦିନ ଧରି ଯେଉଁ ଭଳି ଅଦମ୍ୟ ସାହସ ଦେଖାଇ ନିଜକୁ ଜୀବିତ ରଖିଥିଲେ, ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ |

ଦୁର୍ଘଟଣା ସମୟରେ ବିମାନଟି ଆରାକୁଆରା ଠାରୁ ଆମାଜନ ପ୍ରଦେଶର ସାନ୍ ଜୋସେ ଡେଲ୍ ଗ୍ବାଭିୟାରକୁ ଯାଉଥିଲା। ଇଞ୍ଜିନ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିଲା ।

ଆମାଜନ ଜଙ୍ଗଲରେ ବିମାନ ଦୁର୍ଘଟଣା ପରେ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା | ଖୋଜାଖୋଜି ସମୟରେ ପିଲାଙ୍କ ପାଦଚିହ୍ନ ମିଳିବା ପରେ ଉଦ୍ଧାରକାରୀ ଦଳ ସେମାନେ ଜୀବିତ ଅଛନ୍ତି ବୋଲି ନିଶ୍ଚିତ ହୋଇଥିଲେ।

ପିଲାମାନେ ହ୍ୟୁଟୋଟୋ ସମ୍ପ୍ରଦାୟର ଓ ଏଠାକାର ମୂଳ ବାସିନ୍ଦା । ଫଳମୂଳ ଏବଂ ଜଙ୍ଗଲରେ ବଞ୍ଚିବା ପାଇଁ କୌଶଳ ବିଷୟରେ ଜ୍ଞାନ ପିଲାମାନଙ୍କୁ ବଞ୍ଚାଇ ରଖିବ ବୋଲି ଏହି ସମ୍ପ୍ରଦାୟର ଲୋକମାନେ ଆଶାବାଦୀ ଥିଲେ ।

Comments are closed.