ବିକାନେର୍-ଗୁଆହାଟି ଏକ୍ସପ୍ରେସ ଲାଇନଚ୍ୟୁତ, ୪ ମୃତ, ୨୦ ଆହତ

କୋଲକାତା:ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା ଘଟିଛି। ରାଜସ୍ଥାନର ବିକାନେରରୁ ଆସାମର ଗୁଆହାଟି ଅଭିମୁଖେ ଯାଉଥିବା ବିକାନେର୍-ଗୁଆହାଟି ଏକ୍ସପ୍ରେସ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ପଶ୍ଚିମବଙ୍ଗର ମାୟନାଗୁରୀ ନିକଟରେ ଗୁରୁବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଛି। ୨୦ ଜଣ ଆହତ ହୋଇଥିବା ଜଣାଯାଇଛି। ଲାଇନଚ୍ୟୁତ ବଗି ତଳେ ଆହୁରି ଅନେକ ଯାତ୍ରୀ ଫସିରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଆହତମାନଙ୍କୁ ଜଲପାଇଗୁଡିକୁ ନିଆଯାଇଛି। ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍ କରି କହିଛନ୍ତି।

ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଏନଡିଆରଏଫର ଦୁଇଟି ଟିମ୍ ସିଲିଗୁଡିରୁ ଘଟଣାସ୍ଥଳକୁ ଯାଇଛନ୍ତି | ଅନ୍ୟ ଅନେକ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି | ଗ୍ୟାସ କଟର ସହିତ ବଗିଗୁଡ଼ିକୁ ଅଲଗା କରି ଫସି‌ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି |

ଏହି ଘଟଣା ଉପରେ ସେ ନିଜେ ନଜର ରଖିଛନ୍ତି ବୋଲି ରେଳମନ୍ତ୍ରୀ କହିଛନ୍ତି। ଶୀଘ୍ର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ ନିଜେ ଏହାକୁ ତଦାରଖ କରୁଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତମାନଙ୍କୁ ୨୫-୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଏପର୍ଯ୍ୟନ୍ତ ୪୦ ଜଣଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଇଛି।

Comments are closed.