ଦିଲ୍ଲୀରେ ତିନି ମହଲା କୋଠା ଭୁଶୁଡ଼ିଲା, ଚାରି ମୃତ

ନୂଆଦିଲ୍ଲୀ: ଗୁରୁଗ୍ରାମ ପରେ ଏବେ ଦିଲ୍ଲୀରେ ଏକ କୋଠା ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ବାୱାନା ଅଞ୍ଚଳରେ ଜେଜେ କଲୋନୀରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷର ପିଲା ଅଛି । ଭଙ୍ଗା କୋଠା ତଳେ ଆଉ କିଛି ଲୋକ ଦବି ହୋଇ‌ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି |

ଡିସିପି ଆଉଟର୍ ନର୍ଥର ବ୍ରିଜେନ୍ଦ୍ର ଯାଦବ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ କୋଠାର ଧ୍ବଂସାବଶେଷ ତଳେ ମୋଟ ୬ ଜଣ ଫସି ରହିଥିବା ସୂଚନା ମିଳିଥିଲା, ସେଥିମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଫସି ରହିଥିବା ଅବଶିଷ୍ଟ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ପୋଲିସର ସୂଚନାନୁସାରେ, ଗତକାଲି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍ ବେଳେ ଏନଆଇଏ ପୋଲିସ ଷ୍ଟେସନକୁ ଦିଲ୍ଲୀ ଜଳବୋର୍ଡ ନିକଟରେ ଥିବା ଏକ କୋଠା ଭୁଶୁଡି ପଡିଥିବା ସୂଚନା ମିଳିଥିଲା। ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କୋଠା ରାଜୀବ ରତନ ଆୱାସରେ ନିର୍ମିତ ହୋଇଥିଲା | ଯେଉଁଠାରେ ପ୍ରାୟ ୩୦୦-୪୦୦ ଫ୍ଲାଟ ଅଛି |

ଦିନକ ତଳେ ଦିଲ୍ଲୀ ନିକଟ ଗୁରୁଗ୍ରାମରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା। ସେକ୍ଟର ୧୦୯ରେ ହଠାତ୍ ଏକ ଫ୍ଲାଟର ଛାତ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ

Comments are closed.