ଆଜିଠୁ ଚତୁର୍ଥ ଟେଷ୍ଟ: ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହେଉଛି । ହେଡିଂଲେ ଟେଷ୍ଟରେ ଶୋଚନୀୟ ଇନିଂସ୍ ପରାଜୟ ପରେ ଭାରତ ନିଜ ବ୍ୟାଟିଂରେ ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ଭାରତ ନିଜ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ତେବେ ଭାରତ ଅଜିଙ୍କ୍ୟ ରାହାଣେଙ୍କ ଫର୍ମ ଓ ସିନିୟର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନେଇ ଦ୍ୱନ୍ଦ୍ୱରେ ଅଛି । ଖରାପ ଫର୍ମ ଦେଇ ଗତି କରୁଥିବା ରାହାଣେଙ୍କୁ ଚୂଡାନ୍ତ ଏକାଦଶରେ ବଜାୟ ରଖାଯିବ ନା ନାହିଁ ଏବଂ ଅଶ୍ୱିନଙ୍କୁ ଖେଳାଇବା ସମ୍ପର୍କରେ ଭାରତକୁ ନିଷ୍ପତ୍ତି ନେବାକୁ ପଡିବ ।

ଲର୍ଡ୍ସରେ ପ୍ରେରଣାଦାୟୀ ବିଜୟ ପରେ ଭାରତ ହେଡିଂଲେରେ ଝୁଣ୍ଟିଥିଲା । ହେଡିଂଲେର ଉଭୟ ଇନିଂସରେ ଭାରତର ବ୍ୟାଟିଂ ଫେଲ୍ ମାରିଥିଲା । ସିରିଜ୍ ସମ୍ପ୍ରତି ୧-୧ ସ୍ଥିତିରେ ଥିବା ବେଳେ ସିରିଜରେ ଆଉ ଦୁଇଟି ଟେଷ୍ଟ ଖେଳାଯିବ । ଏଭଳି ସ୍ଥିତିରେ ଓଭାଲ ଟେଷ୍ଟ ଉଭୟ ଦଳ ପାଇଁ ଗୁୁରୁତ୍ୱପୂର୍ଣ୍ଣ । ଭାରତୀୟ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ଲର୍ଡ୍ସରେ ବିଜୟ ପରେ ପରବର୍ତ୍ତୀ ଟେଷ୍ଟ ମଧ୍ୟ ଆମେ ଜିତିବୁ ବୋଲି କିଛି ଗ୍ୟାରେଣ୍ଟି ନଥିଲା ଏବଂ ହେଡିଂଲେ ଟେଷ୍ଟରେ ପରାଜୟର ଅର୍ଥ ନୁହେଁ ଯେ ଓଭାଲରେ ମଧ୍ୟ ଏହାର ପୁନରାବୃତ୍ତି ଘଟିବ ।
ବିଶେଷଜ୍ଞ ଓ ପ୍ରଶଂସକ କଣ କହୁଛନ୍ତି ସେଥିପ୍ରତି କୋହଲି କେବେ ବି ଧ୍ୟାନ ଦିଅନ୍ତି ନାହିଁ । ସେ ନିଜ ନିଷ୍ପତ୍ତି ଉପରେ ବିଶ୍ୱାସ କରନ୍ତି । ତେବେ ଚଳିତ ସିରିଜରେ ଦଳର ବ୍ୟାଟିଂ ଲାଇନ୍ ଅପ୍ ଯେ ସଂଘର୍ଷ କରୁଛି ତାହା ଭଲ ଭାବେ ଜାଣିଛନ୍ତି କୋହଲି । ବିଶେଷକରି କୋହଲିଙ୍କ ବ୍ୟତୀତ ରାହାଣେ ଓ ପୂଜାରାଙ୍କ ଭଳି ଦଳର ତିନି ପ୍ରମୁଖ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଫର୍ମ ଚିନ୍ତାର କାରଣ ହୋଇଛି । ହେଡିଂଲେ ଟେଷ୍ଟର ଦ୍ୱିତୀୟ ଇନିଂସରେ ୯୧ ରନ୍ କରିଥିବା ପୂଜାରା ତାଙ୍କ ଫର୍ମ ଫେରିପାଇଥିବା ଆଭାସ ମିଳିଛି । ହେଲେ ରାହାଣେଙ୍କ କ୍ଷେତ୍ରରେ ତାହା କୁହାଯାଇ ପାରିବ ନାହିଁ । ଯଦିଓ ରାହାଣେ ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୬୧ ରନ୍ କରିଥିଲେ, ତାଙ୍କର ପ୍ରଦର୍ଶନରେ ଅସ୍ଥିରତା ଏକ ବଡ଼ ସମସ୍ୟା ହୋଇଛି । ତଥାପି ରାହାଣେଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ତେବେ ଗତ ଦୁଇ ବର୍ଷ ଧରି ତାଙ୍କର ଏଭଳି ଅସ୍ଥିର ପ୍ରଦର୍ଶନ ଯୋଗୁଁ ଦଳର ଅଧିକ କ୍ଷତି ହୋଇଛି । ଏପରିକି ମେଲବୋର୍ଣ୍ଣ ଟେଷ୍ଟରେ ଶତକ ଏବଂ ଲର୍ଡ୍ସରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ରାହାଣେଙ୍କ ପ୍ରଦର୍ଶନରେ ସେଭଳି ଆତ୍ମବିଶ୍ୱାସ ପ୍ରତିଫଳିତ ହେଉ ନାହିଁ ।
ରାହାଣେ ଗତ ପାଞ୍ଚଟି ଇନିଂସରେ ୧୯ ଆଭରେଜରେ ମାତ୍ର ୯୫ ରନ୍ କରିବା ତାଙ୍କର ସଂଘର୍ଷକୁ ସ୍ପଷ୍ଟ ସୂଚାଉଛି । ରାହାଣେଙ୍କ ପରିବର୍ତ୍ତେ ସୂର୍ଯ୍ୟକୁମାର ଯାଦବ ଏବଂ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଯଦି ରାହାଣେଙ୍କୁ ବାଦ୍ ଦିଆଯାଏ, ତେବେ ସୂର୍ଯ୍ୟକୁମାରଙ୍କ ଅପେକ୍ଷା ବିହାରୀଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ । କାରଣ ବିହାରୀ ଅଫ୍ ସ୍ପିନ୍ ବୋଲିଂ ମଧ୍ୟ କରନ୍ତି ।
ଭାରତ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିବା ଉଚିତ ବୋଲି ସୁନୀଲ ଗାଭାସ୍କର ଏବଂ ଦିଲ୍ଲୀପ ଭେଙ୍ଗସରକାରଙ୍କ ଭଳି କିମ୍ବଦନ୍ତୀ ଖେଳାଳି କହୁଥିଲେ ମଧ୍ୟ କୋହଲିଙ୍କୁ ନିଜ ରଣନୀତି ଉପରେ ଅଧିକ ବିଶ୍ୱାସ ରହିଛି । ବ୍ୟାଟିଂ ବିଫଳତା ସତ୍ତ୍ୱେ ଚଳିତ ସିରିଜରେ ସେ ପାଞ୍ଚ ବୋଲର ରଣନୀତି ପ୍ରୟୋଗ କରିବା ଏହାର ଏକ ଉଦାହରଣ ।
ପ୍ରଥମ ତିନୋଟି ଟେଷ୍ଟରୁ ବଞ୍ଚିତ ହେବା ପରେ ଓଭାଲରେ ଅଭିଜ୍ଞ ଅଶ୍ୱିନ ଖେଳିବା ସମ୍ଭାବନା ରହିଛି । ଅଶ୍ୱିନଙ୍କ ପରିବର୍ତ୍ତେ କୋହଲି ପ୍ରଥମ ତିନୋଟି ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦେଇଛନ୍ତି । ଅଶ୍ୱିନଙ୍କ ତୁଳନାରେ ଜାଡେଜାଙ୍କ ବ୍ୟାଟିଂ ଦକ୍ଷତା ଦୃଷ୍ଟିରୁ ତାଙ୍କୁ କୋହଲି ଦଳରେ ବଜାୟ ରଖିଛନ୍ତି । ଜାଡେଜା ଏଯାବତ ତିନୋଟି ଟେଷ୍ଟରେ ୨ଟି ୱିକେଟ୍ ନେଇଛନ୍ତି । ତେବେ ଓଭାଲ ପିଚ୍ ସ୍ପିନରଙ୍କୁ ସୁହାଇବା ନଜିର ରହିଛି । ତେଣୁ ଅଶ୍ୱିନ ଚଳିତ ସିରିଜରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିପାରନ୍ତି । ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଓଭାଲରେ ହିଁ ଅଶ୍ୱିନ ସରେ ପକ୍ଷରୁ ପ୍ରତିନିଧିତ୍ୱ କରିି ସମରସେଟ୍ ବିପକ୍ଷ କାଉଣ୍ଟି ମ୍ୟାଚରେ ୬ଟି ୱିକେଟ୍ ନେଇଥିଲେ ।

Comments are closed.