ଆତଙ୍କବାଦୀ ଆକ୍ରମଣର ଦିନକ ପରେ ରଜୌରୀରେ ବିସ୍ଫୋରଣ, ଜଣେ ଶିଶୁ ମୃତ, ୭ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ଉପର ଡାଙ୍ଗ୍ରିରେ ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିବା ତିନିଟି ଘର ମଧ୍ୟରୁ ଗୋଟିଏରେ ଆଜି ପୁଣି ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏହାଛଡ଼ା ଏହି ଆକ୍ରମଣରେ ଜଣେ ଶିଶୁ ଓ ତିନିଜଣ ମହିଳା ଆହତ ହୋଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ହିଁ ସେହି ଘରେ ଆଇଡି ରଖି ଚାଲିଯାଇଥିଲେ । ଏହା ଗ୍ରେନେଡ ନା ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ ତାହା ତୁରନ୍ତ ଜଣାପଡ଼ି ନାହିଁ । ଜମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂ ଏହି ବିସ୍ଫୋରଣରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଏବଂ ଆଉ ଜଣେ ପିଲାର ଅବସ୍ଥା ଗୁରୁତର ଥିବା କହିଛନ୍ତି। ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ତିନି ହିନ୍ଦୁ ଘର ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଆହତ ହୋଇଥିଲେ ।

ମୁକେଶ ସିଂ କହିଛନ୍ତି ଘଟଣାସ୍ଥଳରେ ଆଉ ଏକ ସନ୍ଦିଗ୍ଧ ଆଇଇଡି ଚିହ୍ନଟ ହୋଇଛି । ଏହାକୁ ନିଷ୍କ୍ରିୟ କରାଯାଉଛି ।

ଜାମ୍ମୁ କାଶ୍ମୀର ଏଲଜି ମନୋଜ ସିହ୍ନା ଏହି ଘଟଣାକୁ ନିନ୍ଦା କରି ଏହି ଆକ୍ରମଣରେ ନିହତ ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ସରକାରୀ ଚାକିରୀ ଘୋଷଣା କରିଛନ୍ତି। ଏହା ସହିତ ସେ ଗୁରୁତର ଆହତ ଲୋକଙ୍କୁ ଏକ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ଏଲଜି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.