ପିଜା ଟ୍ରେ ଉପରେ ଟଏଲେଟ୍ ବ୍ରଶ୍ ଟଙ୍ଗା ଯାଇଥବା ଫଟୋ ଭାଇରାଲ୍, କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଲା ଏଫ୍ଏସ୍ଏସ୍ଏଆଇ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଡୋମିନୋ ଆଉଟଲେଟରେ ରଖାଯାଇଥିବା ପିଜା ଟ୍ରେ ଉପରେ ଟଏଲେଟ୍ ବ୍ରଶ୍ ଟଙ୍ଗା ଯାଇଥବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଏହାକୁ ଗମ୍ଭୀରତାର ସହ ନେଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ସର୍ବୋଚ୍ଚ ଖାଦ୍ୟ ନିୟାମକ କହିଛି ଯେ, କମ୍ପାନୀକୁ ଜବାବ ଲୋଡାଯାଇଛି ଏବଂ ଖାଦ୍ୟ ସୁରକ୍ଷା ଓ ମାନ ଆଇନ, ୨୦୦୬ର ବ୍ୟବସ୍ଥା ଅନୁଯାୟୀ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବହୁରାଷ୍ଟ୍ରୀୟ ପିଜା କମ୍ପାନୀ ଡୋମିନୋସ୍ ର ବାଙ୍ଗାଲୋରର ଏକ ଷ୍ଟୋରରେ ପିଜା ତିଆରି ପାଇଁ ରଖାଯାଇଥିବା ମଇଦା ଗୁଳା ଭର୍ତ୍ତି ଟ୍ରେ’କୁ ଲାଗି ଟଏଲେଟ୍ ବ୍ରସ୍ ଟଙ୍ଗା ଯାଇଥବା ଏକ ଫଟୋ ଏବଂ ଭିଡ଼ିଓ ଭାଇରାଲ ହୋଇଥିଲା । ଏହା ପରେ କମ୍ପାନୀ ଗ୍ରାହକଙ୍କ ସମେତ ବହୁ ଲୋକଙ୍କ ସମାଲୋଚନାର ସମ୍ମୁଖୀନ ହୋଇଛି ।

ସାହିଲ କର୍ଣ୍ଣାନି ନାମକ ଜଣେ ଟ୍ୱିଟର ୟୁଜର ଏହି ଫଟୋ ସେୟାର କରି ଲେଖିଛନ୍ତି, ଡୋମିନୋ ଆମକୁ ଏମିତି ତାଜା ପିଜା ପରଷୁଛି ! ଅତ୍ୟନ୍ତ ଘୃଣ୍ୟ। ” ସେ ଦାବି କରିଛନ୍ତି ଯେ ଏହି ଫଟୋ ବେଙ୍ଗାଲୁରୁ ସହରର ହୋସା ରୋଡରେ ଥିବା ଏକ ଆଉଟଲେଟର | ଏଥିସହ ସେ ଏହି ଟ୍ବିଟରେ ଏଫ୍ଏସ୍ଏସ୍ଏଆଇ, କର୍ଣ୍ଣାଟକର ସ୍ବାସ୍ଥ୍ୟ ମନ୍ତ୍ରୀ କେ.ସୁଧାକର ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଟ୍ୟାଗ୍ କରିଥିଲେ ।

ଡୋମିନୋ ଏ ବାବଦରେ ଏକ ବିବୃତ୍ତି ଜାରି କରି କହିଛି ଯେ ସ୍ୱଚ୍ଛତା ଏବଂ ଖାଦ୍ୟ ନିରାପତ୍ତାର ସର୍ବୋଚ୍ଚ ମାନ ନିଶ୍ଚିତ କରିବାକୁ ଡୋମିନୋ ବିଶ୍ୱ ସ୍ତରୀୟ ପ୍ରୋଟୋକଲ୍ ପାଳନ କରୁଛି।

କମ୍ପାନୀ କହିଛି, “ଆମର ଗୋଟିଏ ଷ୍ଟୋର ସହ ଜଡ଼ିତ ଏକ ଘଟଣା ନିକଟରେ ଆମ ନଜରକୁ ଆସିଛି । ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏହା ଏକ ପୃଥକ ଘଟଣା, ଏବଂ ଆମେ ସମ୍ପୃକ୍ତ ରେଷ୍ଟୁରାଣ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ | ଆମେ ସୂଚନା ଦେବାକୁ ଚାହୁଁଛୁ ଯେ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ ନିୟମ ଉଲ୍ଲଂଘନକୁ ଆମେ ବରଦାସ୍ତ କରିବୁ ନାହିଁ।

Comments are closed.