କାନାଡ଼ାରେ ଭାରତର‌ ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଗ୍ୟାଙ୍ଗଷ୍ଟରକୁ ହତ୍ୟା

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏହି ଉତ୍ତର ଆମେରିକୀୟ ଦେଶରେ ଭାରତର ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଗ୍ୟାଙ୍ଗଷ୍ଟରକୁ ହତ୍ୟା କରାଯାଇଛି । ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ପରେ କାନାଡ଼ାରେ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂ ଓରଫ୍ ସୁଖା ଦୁନିକେକୁ ଗୁଳି କରି ହତ୍ୟା କରାଯାଇଛି। ସୁଖା ଦୁନିକେ ଖଲିସ୍ତାନୀ ଆତଙ୍କବାଦୀ ଆର୍ଶଦୀପ ସିଂର ପାଖଲୋକ ଥିଲା । ଦୁନିକେଙ୍କ ହତ୍ୟାକାରୀ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହାଁନ୍ତି।ସେ ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଥିଲା | କାନାଡାରୁ ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଉଥିଲା ସୁଖା ଦୁନିକେ ।

ସୁଖା ଦୁନିକେ ୨୦୧୭ରେ ନକଲି ପାସପୋର୍ଟ ଜରିଆରେ ଭାରତରୁ କାନାଡାକୁ ଖସି ପଳାଇଥିଲା | ପଞ୍ଜାବ ଓ ହରିୟାଣାର ଅତି କମରେ ୨୯ ଗ୍ୟାଙ୍ଗଷ୍ଟର ଆଇନଗତ କାର୍ଯ୍ୟାନୁଷ୍ଠାନ ଏଡ଼ାଇବା ପାଇଁ ଭାରତ ବାହାରେ ବିଶେଷକରି କାନାଡ଼ାରେ ଆଶ୍ରୟ ନେଉଛନ୍ତି। ସେମାନେ ଭାରତରୁ ନେପାଳ ଦେଇ ନକଲି ପାସପୋର୍ଟ ସହାୟତାରେ ବିଦେଶ ପଳାୟନ କରିଥିଲେ ।

ସୁଖା ଦୁନିକେ ମୋଷ୍ଟ ଓ୍ବାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲା ଗ୍ୟାଙ୍ଗ ସହିତ ଜଡିତ ଥିଲା | ଟାର୍ଗେଟ୍ କିଲିଂ ପାଇଁ କୁଖ୍ୟାତ ଥିଲା ସୁଖା । ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ ଜୋରଦାର କରି ଏନଆଇଏ ବୁଧବାର ଅର୍ଶ ଡାଲା ଗ୍ୟାଙ୍ଗ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ଏହାଛଡ଼ା ଆଉ ପାଞ୍ଚଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ପାଇଁ ମଧ୍ୟ ଏନଆଇଏ ନଗଦ ପୁରସ୍କାର ଘୋଷଣା କରିଥିଲା।

ଉଲ୍ଲେଖଯୋଗ୍ୟ, ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପ୍ରତି କୂଟନୈତିକ ତିକ୍ତତା ଦେଖାଦେଇଛି । ଭାରତରେ ମୋଷ୍ଟ ଓ୍ବାଣ୍ଟେଡ୍ ଥିବା ନିଜ୍ଜରଙ୍କୁ ଚଳିତ ବର୍ଷ ଜୁନରେ କାନାଡ଼ାର ବ୍ରିଟିଶ କଲମ୍ବିଆରେ ଏକ ଗୁରୁଦ୍ୱାର ବାହାରେ ଗୁଳିକରି ହତ୍ୟା କରାଯାଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ଥିବା ଅଭିଯୋଗ କରିଥିଲେ । ଟ୍ରୁଡୋଙ୍କ ଏହି ଅଭିଯୋଗକୁ ଭାରତ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲା । ନିଜ୍ଜର ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ) ନାମକ ସଂସ୍ଥାର ମୁଖ୍ୟ ଥିଲେ।

Comments are closed.