ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଅର୍ଥାତ୍ ପାଣିପାଗ ବିଭାଗ ଆକଳନ ମୁତାବକ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ଏଭଳି ହେଲେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଅନୁମାନ କରି ମୁକାବିଲା ପାଇଁ ପ୍ରାକ୍- ପ୍ରସ୍ତୁତି ଆରମ୍ଭ କରି ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନେତୃତ୍ବରେ ବରିଷ୍ଠ ଅଧିକାରୀମାନଙ୍କ ଏକ ପ୍ରସ୍ତୁତି ବୈଠକ ହୋଇ ଏ ବାବଦରେ ସବିଶେଷ ଆଲୋଚନା କରାଯାଇଛି। ତେଣେ ଜିଲ୍ଲାରେ ଥିବା ୭ଟି ଡ୍ୟାମ୍‌ରୁ ଡହ ଓ ଘୋଡ଼ାହାଡ଼ ଜଳଭଣ୍ଡାରରେ ସର୍ବୋଚ୍ଚ ଜଳଧାରଣ କ୍ଷମତା ପାଖାପାଖି ଜଳ ଭରି ହୋଇଯାଇଥିବାରୁ ଉଦ୍‌ବୃତ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କର୍ତ୍ତୃପକ୍ଷ।

ଜୁଲାଇ ପହିଲାରୁ ୧୧ ତାରିଖ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୯୦.୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଡହ ଡ୍ୟାମ୍‌ରେ ସର୍ବାଧିକ ଜଳଧାରଣ କ୍ଷମତା ୧୧୮. ୬୦ ମିଟର ଥିବା ବେଳେ ବର୍ତ୍ତମାନ ସେଠାରେ ୧୧୮.୧୨ ମିଟର ଜଳ ଭରିଗଲାଣି। ଘୋଡ଼ାହାଡ଼ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ଏବେ ୧୧୭.୦୦ ମିଟର ପର୍ଯ୍ୟନ୍ତ ଭରିଲାଣି। ଅନ୍ୟ ୫ଟି ଜଳଭଣ୍ଡାରରେ ମଧ୍ୟ ଧିରେ ଧିରେ ଜଳ ସର୍ବୋଚ୍ଚ ଜଳଧାରଣ କ୍ଷମତା ପାଖାପାଖି ପହଞ୍ଚିବାରେ ଲାଗିଛି। ଜୁଲାଇ ୧୫ ପରେ ହିଁ ଜଳସେଚନ ଦୃଷ୍ଟିରୁ କେନାଲ୍‌ମାନଙ୍କରେ ଜଳ ଛଡ଼ାଯିବାର ନୀତି ରହିଛି। ତେବେ ତା ପୂର୍ବରୁ ଜଳଭଣ୍ଡାରମାନଙ୍କରେ ଜଳ ଭର୍ତ୍ତି ହେଉଥିବାରୁ ଡ୍ୟାମ୍ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ଆଖପାଖ ଅଞ୍ଚଳ ଓ ତଳିଆ ଇଲାକାବାସୀଙ୍କୁ ଆଗୁଆ ସୂଚନା ଦେଇ ଧିରେ ଧିରେ ଜଳ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ପରିଡ଼ା। ଡ୍ୟାମ୍‌ଗୁଡିକରୁ ଯେକୌଣସି ମୁହୂର୍ତ୍ତରେ ଜଳ ନିଷ୍କାସନ ହେବା ଆଶଙ୍କା ଦୃଷ୍ଟିରୁ ନଦୀ ନିକଟକୁ ଲୋକେ ନଯିବା, ନିଜ ପୋଷା ଜୀବଙ୍କୁ ନଛାଡିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ ଜିଲ୍ଲାତମାମ ଲଗାତର ବର୍ଷା ଫଳରେ ଚାଷ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

ଜିଲ୍ଲାର ତଳିଆ ଅଞ୍ଚଳଗୁଡିକରେ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତ ବିଡିଓ, ତହସିଲଦାର ଏବଂ ଲାଇନ୍ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳ ପ୍ରତି ସତର୍କ ନଜର ରଖୁବାକୁ କୁହାଯାଇଛି। ସମସ୍ତ ବିଭାଗରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଚୁଡ଼ା, ଗୁଡ଼, ଚାଉଳ, କିରୋସିନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ମାତ୍ରାରେ ଗଚ୍ଛିତ ରଖାଯାଇଛି। ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାଙ୍କୁ ଆଗୁଆ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ। ସ୍ୱାସ୍ଥ୍ୟ ବିଭାଗ ବ୍ରହ୍ମପୁର, ଛତ୍ରପୁର, ଆସିକା ଓ ଭଞ୍ଜନଗର ୪ଟି ଜୋନ୍‌ରେ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ନିୟୋଜିତ କରିବ। ଜନଜୀବନ ସୁରକ୍ଷା ନିମନ୍ତେ ଆବଶ୍ୟକ ଔଷଧ, ଓଆର୍‌ଏସ୍, ହାଲୋଜେନ୍‌ ବଟିବା ଯଥେଷ୍ଟ ପରିମାଣରେ ଥିବା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ବୈଠକରେ ଅବଗତ କରାଇଥିଲେ। ତଳିଆ ଅଞ୍ଚଳରୁ ଲୋକ ଓ ପଶୁମାନଙ୍କୁ ଆବଶ୍ୟକ ହେଲେ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ସାମଗ୍ରୀ ଓ ଯନ୍ତ୍ରାଂଶ ଗୁଡ଼ିକୁ କାର୍ଯ୍ୟକ୍ଷମ କରି ରଖାଯିବ। ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ନିମନ୍ତେ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ସମସ୍ତ ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

Comments are closed.