ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଭିନ୍ନକ୍ଷମଙ୍କ ଅଭିଯୋଗ ଶୁଣାଣି ସକାଶେ ‘ଦିବ୍ୟାଙ୍ଗଜନ ସମଧାନ’  | News Room Odisha

ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଭିନ୍ନକ୍ଷମଙ୍କ ଅଭିଯୋଗ ଶୁଣାଣି ସକାଶେ ‘ଦିବ୍ୟାଙ୍ଗଜନ ସମଧାନ’ 

ଛତ୍ରପୁର: ସମାଜରେ ଅପେକ୍ଷାକୃତ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ବିଚାର କରାଯାଉଥିବା ଭିନ୍ନକ୍ଷମଙ୍କ ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ। ସମସ୍ତ ଦିବ୍ୟାଙ୍ଗମାନଙ୍କ ସମସ୍ୟାର ସମାଧାନ ତଥା ସେମାନଙ୍କ ମଙ୍ଗଳ ସାଧନ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ‘ଦିବ୍ୟାଙ୍ଗଜନ ସମାଧାନ’ କାର୍ଯ୍ୟକାରୀ କରାଯିବ। ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଶନିବାର ଏ ନେଇ ଅନୁଷ୍ଠିତ ଆଭାସୀ ବୈଠକରେ ଜିଲ୍ଲାପାଳ କହିଛନ୍ତି ଯେ- ଏଣିକି ପ୍ରତି ସୋମବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅଭିଯୋଗ ଶୁଣାଣି ହେବ। ଏହି ସମୟରେ ପ୍ରାଥମିକତା ଭିତ୍ତିରେ ସର୍ବପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଶୁଣାଣି କରାଯିବ। ଜିଲ୍ଲାର ସମସ୍ତ ବ୍ଲକ୍, ଉପଖଣ୍ଡ, ବ୍ରହ୍ମପୁର ମହାନଗର ନିଗମର ଜନଶୁଣାଣି ସମୟରେ ଏଭଳି କରିବାକୁ ଜିଲ୍ଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷର ନାମ ପରିବର୍ତ୍ତନ କରି ତାହାକୁ ଜଉଗଡ଼ ସମ୍ମିଳନୀ କକ୍ଷ ଭାବେ ନାମିତ କରାଯାଇଛି। ଏହି କକ୍ଷରେ ପ୍ରତ୍ୟେକ ସୋମବାର ସକାଳ ୧୦ଟାରୁ ୧୨ଟା ଭିନ୍ନକ୍ଷମମାନଙ୍କ ଅଭିଯୋଗ ଶୁଣାଣି କରାଯିବ। ଅପରପକ୍ଷରେ ଭଞ୍ଜନଗର ଉପଖଣ୍ଡର ଭିନ୍ନକ୍ଷମଙ୍କ ନିମନ୍ତେ ସ୍ଥାୟୀ ମେଡିକାଲ ବୋର୍ଡ ଗଠନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ବୋର୍ଡ ଭଞ୍ଜନଗର ଡାକ୍ତରଖାନା ପରିସରରେ କାର୍ଯ୍ୟକାରୀ ହେବ। ‘ଦିବ୍ୟାଙ୍ଗଜନ ସମାଧାନ’ ଅଭିଯୋଗ ଶୁଣାଣିରେ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ, ପ୍ରମାଣପତ୍ର, ଜୀବନ ଜୀବିକା, ସରକାରୀ ସହାୟତା, ଉପକରଣ ଆବଣ୍ଟନ, ଋଣ ପ୍ରଦାନ, ଶିକ୍ଷା ଇତ୍ୟାଦି ସମ୍ପର୍କରେ ଜନଶୁଣାଣି କରାଯିବ। ଆଭାସୀ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଓ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

5T InitiativesDibyangjan SamadhanGanjam AdminGanjam Collector Vijay Amruta Kulange