ବିଶ୍ୱକପ ପରେ ହାର୍ଦ୍ଦିକ ହେବେ ଦିନିକିଆ କ୍ୟାପଟେନ୍: ଗାଭାସ୍କର

ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ଯଦି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ଜିତୁଛି, ତେବେ ଚଳିତ ବର୍ଷର ବିଶ୍ୱକପ ପରେ ସେ ଏହି ଫର୍ମାଟରେ ଅଧିନାୟକ ହୋଇପାରନ୍ତି ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର କହିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ମୁମ୍ବାଇରେ ଖେଳାଯିବାକୁ ଥିବା ସିିରିିଜର ପ୍ରଥମ ମ୍ୟାଚରେ ନିୟମିତ ଅଧିନାୟକ ରୋହିତ ଶର୍ମା ପାରିବାରିକ କାରଣରୁୁ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ହାର୍ଦ୍ଦିକ ଭାରତୀୟ ଦଳର ନେତୃତ୍ୱ ନେବେ । ଗତବର୍ଷ ଆଇପିଏଲରେ ୨୯ ବର୍ଷୀୟ ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ନିଜ ଡେବ୍ୟୁ ସିଜନରେ ହିଁ ଚାମ୍ପିୟନ ହୋଇଥିଲା । ସେ ସମ୍ପ୍ରତି ଭାରତୀୟ ଟି୨୦ ଦଳର ଅଧିନାୟକ ଅଛନ୍ତି ।

ଗାଭାସ୍କର ଷ୍ଟାର ସ୍ପୋର୍ଟ୍ସକୁ କହିଛନ୍ତି, ପାଣ୍ଡ୍ୟା ଯେଉଁଭଳି ଗୁଜରାଟ ଟାଇଟନ୍ସ ଓ ଭାରତୀୟ ଟି୨୦ ଦଳର ନେତୃତ୍ୱ ନେଇଛନ୍ତି ତାହା ମୋତେ ବେଶ୍ ପ୍ରଭାବିତ କରିଛି । ଯଦି ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ଜିତନ୍ତି, ତେବେ ବିଶ୍ୱକପ ୨୦୨୩ ଶେଷ ହେବା ପରେ ସେ ଭାରତୀୟ ଦିନିକିଆ ଦଳର ମଧ୍ୟ ଅଧିନାୟକ ହେଇପାରନ୍ତି ।

ଭାରତୀୟ ଦଳର ମିଡିଲ ଅର୍ଡରରେ ପାଣ୍ଡ୍ୟାଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ । ସେ ଜଣେ ପ୍ରଭାବୀ ଖେଳାଳି ଓ ଗେମ୍ ଚେଞ୍ଜର ହୋଇପାରନ୍ତି । ଏପରିକି ଗୁଜରାଟ ଟାଇଟନ୍ସ ପାଇଁ ଖେଳିବା ବେଳେ ସେ ବ୍ୟାଟିଂକ୍ରମରେ ଆଗୁଆ ଆସି ନିଜ ନେତୃତ୍ୱ ଦକ୍ଷତାର ପରିଚୟ ଦେଇଥିଲେ । ଜଣେ ଖେଳାଳି ଯିଏକି ଦାୟିତ୍ୱ ନେବାକୁ ପ୍ରସ୍ତୁତ ତେବେ ତାଙ୍କ ଠାରେ ଅଧିନାୟକତ୍ୱ ଦକ୍ଷତା ରହିଥିବା ସ୍ପଷ୍ଟ ବାରି ହୋଇପଡୁଛି । ତାଙ୍କ କ୍ୟାପଟେନ୍ସି ଷ୍ଟାଇଲ ଅନ୍ୟ ଖେଳାଳିଙ୍କ ତୁଳନାରେ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ପାଇଁ ଫେଭରିଟ୍ କରିଛି ବୋଲି ଗାଭାସ୍କର କହିଛନ୍ତି ।

Comments are closed.