ଶିବ-ପାର୍ବତୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ ପରେ ବାତିଲ ହେଲା ବୁକର୍ ପୁରସ୍କାର ବିଜେତା ଗୀତାଞ୍ଜଳି ଶ୍ରୀଙ୍କ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ବିଜେତା ଗୀତାଞ୍ଜଳି ଶ୍ରୀଙ୍କ ସମ୍ମାନାର୍ଥେ ଉତ୍ତର ପ୍ରଦେଶର ଆଗ୍ରାଠାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରିଦିଆ ଯାଇଛି ।

ସାଂସ୍କୃତିକ ସଂଗଠନ ‘ରଙ୍ଗିଲା’ ଏବଂ ‘ଆଗ୍ରା ଥିଏଟର କ୍ଲବ’ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ସରିଥିଲା | ତେବେ ଗୀତାଞ୍ଜଳି ଶ୍ରୀଙ୍କ ବିରୋଧରେ ଏକ ଅଭିଯୋଗ ଯୋଗୁଁ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରିବାକୁ ପଡ଼ିଛି ।

‘ରଙ୍ଗିଲା’ର ଜଣେ ପଦାଧିକାରୀ ଅନୀଲ ଶୁକ୍ଲା କହିଛନ୍ତି ଯେ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ବିଜେତା ଗୀତାଞ୍ଜଳି ଶ୍ରୀଙ୍କ ବିରୋଧରେ ହୋଇଥିବା ବିବାଦକୁ ନେଇ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା।

ସେ କହିଛନ୍ତି, “ହାଥରସ ଜିଲ୍ଲାର ସାଦାବାଦର ସନ୍ଦୀପ କୁମାର ପଠକ ନାମକ ଜଣେ ବ୍ୟକ୍ତି ଲେଖକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଗୀତାଞ୍ଜଳି ଶ୍ରୀ ତାଙ୍କର ଏକ ପୁସ୍ତକରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପାଠକ ଅଭିଯୋଗ କରିଥିଲେ।”

ଏହି କାର୍ଯ୍ୟକ୍ରମ ବାତିଲ ହେବା ଦ୍ଵାରା ଲୋକମାନେ ନିରାଶ ହୋଇଛନ୍ତି ବୋଲି ଶୁକ୍ଲା କହିଛନ୍ତି।

ସନ୍ଦୀପ କୁମାର ପଠକ ଉତ୍ତରପ୍ରଦେଶ ପୋଲିସ, ମୁଖ୍ୟ ପୋଲିସ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ କରି ଟ୍ୱିଟରରେ ଗୀତାଞ୍ଜଳି ଶ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ହିନ୍ଦୀର ଜଣେ ଜଣାଶୁଣା ସାହିତ୍ୟିକା ଗୀତାଞ୍ଜଳି ଶ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜବାହରଲାଲ ବିଶ୍ୱବିଦ୍ୟାଳୟ ଏବଂ ବରୋଦା ଏମଏସ ବିଶ୍ବବିଦ୍ୟାଳୟରୁ ପାଠ ପଢ଼ିଛନ୍ତି।

ତାଙ୍କର ଉପନ୍ୟାସ ‘ରେତ୍ ସମାଧୀ’ ପାଇଁ ତାଙ୍କୁ ଚଳିତ ବର୍ଷ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.