ଉଦୟପୁର ହତ୍ୟାକାଣ୍ଡ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ ଉଠାଇଲେ ଗେହଲୋଟ୍

ଜୟପୁର: ଉଦୟପୁର ହତ୍ୟାକାଣ୍ଡ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀରବତା ଉପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପ୍ରଶ୍ନ ଉଠାଇଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, “ଦେଶକୁ ଶାନ୍ତି ଏବଂ ଏକତାର ବାର୍ତ୍ତା ଦେବାକୁ ଆମେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛୁ । କାରଣ ଏହାର ପ୍ରଭାବ ପଡ଼ିବ। ମୁଁ କିନ୍ତୁ ବୁଝିପାରୁନି ସେ କାହିଁକି ଏହା କରୁନାହାଁନ୍ତି। ମୋଦୀଙ୍କ ପରାମର୍ଶଦାତା କିଏ ? ତାଙ୍କ ପରାମର୍ଶଦାତା ତାଙ୍କୁ ନୀରବ ରହିବାକୁ ପରାମର୍ଶ ଦେଉଛନ୍ତି କି ? ମୋ’ର କିନ୍ତୁ ବିଶ୍ୱାସ ଯେ ଯଦି ମୋଦି ଶାନ୍ତି ପାଇଁ ଅପିଲ କରନ୍ତି, ତେବେ ଏପରି ଘଟଣା ଆଉ ଘଟିବନି |

ଅନ୍ୟପକ୍ଷରେ ରାଜସ୍ଥାନ ସରକାର କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅଶୋକ ଗେହଲୋଟ୍ କହିଛନ୍ତି, “କହ୍ନେୟାଲାଲଙ୍କ ପରିବାରର ଅବସ୍ଥାକୁ ଦେଖି ଆମେ ତାଙ୍କର ଦୁଇ ପିଲାଙ୍କୁ ଠିକ ସମୟରେ ସରକାରୀ ଚାକିରୀ ଦେବା ପାଇଁ ନିଷ୍ପତ୍ତି ନେଇଛୁ। ଏହା ଆମର କର୍ତ୍ତବ୍ୟ। ମୁଁ ଜନସାଧାରଣଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ଉତ୍ତେଜନା ସତ୍ତ୍ୱେ ଆମେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପଡିବ। ”

ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ଚାକିରି ଦେବାକୁ ନିଷ୍ପତ୍ତି ନେଇଥିଲେ। କହ୍ନେୟାଲାଲଙ୍କ ପୁଅ ଯଶ ଏବଂ ତରୁଣ ତେଲିଙ୍କୁ ସରକାରୀ ଚାକିରି ଦିଆଯିବ । ଏଥିପାଇଁ ଗେହଲୋଟ୍ ସରକାର ନିୟମ ମଧ୍ୟ କୋହଳ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏହି ଦୁଇ ପୁଅଙ୍କୁ କେଉଁ ବିଭାଗରେ ଚାକିରି ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ।

ଜୁନ୍ ୨୮ରେ ଉଦୟପୁର ସ୍ଥିତ ତାଙ୍କ ଦୋକାନରେ ପଶି ଦୁଇ ମୁସଲିମ ଯୁବକ ଟେଲର କହ୍ନେୟାଲାଲଙ୍କୁ ବିଭତ୍ସ ହତ୍ୟା କରିଥିଲେ। ଏହା ପରେ ଜୁନ୍ ୩୦ ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଉଦୟପୁର ଯାଇ ତାଙ୍କ ପରିବାରକୁ ଭେଟିଥିଲେ।

କହ୍ନେୟାଲାଲଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫୧ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଥିଲେ। ଏହା ସହିତ ଉଭୟ ପୁଅଙ୍କୁ ଚାକିରି ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

Comments are closed.