ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାରେ ବିଳମ୍ବ ନେଇ ବିଜେପିକୁ ଗେହଲୋଟଙ୍କ କଟାକ୍ଷ

ଜୟପୁର: ନିର୍ବାଚନ ଫଳାଫଳ ଘୋଷଣାର ୬ ଦିନ ପରେ ମଧ୍ୟ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନଥିବାରୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ବିଜେପିକୁ ଟାର୍ଗେଟ୍ କରିଛନ୍ତି।

ବିଜେପିରେ ମତଭେଦ ଅଛି ଏବଂ ଦଳ ଭିତରେ ଶୃଙ୍ଖଳା ନାହିଁ ବୋଲି ଗେହଲୋଟ୍ କହିଛନ୍ତି।

ଶନିବାର ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ଅଶୋକ ଗେହଲୋଟ୍ କହିଛନ୍ତି, “ପ୍ରାୟ ୭ ଦିନ ବିତିଗଲାଣି, କିନ୍ତୁ ଏହି ଲୋକମାନେ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିପାରୁ ନାହାଁନ୍ତି। ଏହି ଦଳରେ ମତଭେଦ ଅଛି, ଶୃଙ୍ଖଳା ନାହିଁ । ଯଦି ଆମ ଦଳରେ ଏପରି ବିଳମ୍ବ ହୁଅନ୍ତା ତେବେ ସେମାନେ କେତେ କ’ଣ କଥା କହିଥାନ୍ତେ। ”

ଗେହଲୋଟ୍ କହିଛନ୍ତି, ” ରାଜସ୍ଥାନ ନିର୍ବାଚନରେ ବିଜେପି ସ୍ଥାନୀୟ ପ୍ରସଙ୍ଗ ଉଠାଇ ନଥିଲା । ବରଂ ଧାର୍ମିକ ପ୍ରସଙ୍ଗ, କହ୍ନେୟାଲାଲ ହତ୍ୟା, ଟ୍ରିପଲ ତଲାକ, ଧାରା ୩୭୦ ଭଳି ପ୍ରସଙ୍ଗରେ ଲଢ଼ିଥିଲେ । ଏହି ଲୋକମାନେ ମିଛ କହି ନିର୍ବାଚନ ଜିତିଛନ୍ତି। ଏବେ ଜନତାଙ୍କ ସାମ୍ନାରେ ଏମାନଙ୍କର ‘ମୁଖା’ ଖୋଲିବ । ତେବେ ସେ ନୂଆ ସରକାରଙ୍କୁ ସହଯୋଗ କରିବେ ବୋଲି ଗେହଲୋଟ୍ କହିଛନ୍ତି ।

Comments are closed.