ଦିନିକିଆ ର଼୍ୟାଙ୍କିଙ୍ଗ୍: ଗିଲ୍ ଓ ସିରାଜ୍ ନମ୍ବର ଓ୍ବାନ୍

ଦୁବାଇ: ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ରାଜୁତି ଶେଷ ହୋଇଛି। ଆଜମଙ୍କୁ ହଟାଇ ଭାରତର ଉଦୀୟମାନ ବ୍ୟାଟର ଶୁଭମାନ ଗିଲ୍ ପ୍ରଥମ ଥର ପାଇଁ ଆଇସିସି ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ସେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଏକ ନମ୍ବର ମାନ୍ୟତା ହାସଲ କରିଛନ୍ତି । ଗିଲ୍ ବ୍ୟାଟିଂରେ ଶୀର୍ଷ ସ୍ଥାନ ଅକ୍ତିଆର କରିଥିବା ବେଳେ ବୋଲରଙ୍କ ତାଲିକାରେ ତାଙ୍କ ସାଥୀ ଖେଳାଳି ତଥା ଦ୍ରୁତ ବୋଲର ମହମ୍ମଦ ସିରାଜ୍ ନମ୍ବର ଓ୍ବାନ୍ ହୋଇଛନ୍ତି । ସେ ଶାହିନ୍ ଆଫ୍ରିଦିଙ୍କୁ ହଟାଇ ଦ୍ୱିତୀୟ ଥର ପାଇଁ ର଼୍ୟାଙ୍କିଙ୍ଗ ଶୀର୍ଷରେ ପହଞ୍ଚିଛନ୍ତି। ଆଫ୍ରିଦି ପଞ୍ଚମ ନମ୍ବରକୁ ଖସି ଆସିଛନ୍ତି |

ଶୁଭମାନ ଗିଲଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଆଇସିସି ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ ।

ଗିଲ୍ ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ୯୨ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩ ରନ୍ କରିଥିଲେ। ସେ ୬ଟି ଇନିଂସରେ ୨୧୯ ରନ୍ ସଂଗ୍ରହ କରିଛନ୍ତି | ବାବର ଆଜମ ୮ଟି ଇନିଂସରେ ୨୮୨ ରନ୍ କରିଛନ୍ତି। ଗତ ଦୁଇ ବର୍ଷ ଧରି ବାବର ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଥିଲେ।

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଚତୁର୍ଥ ନମ୍ବରରେ ଅଛନ୍ତି। ତାଙ୍କ ଆଗରେ ବାବର ଆଜମ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’ କକ୍ ତିନି ନମ୍ବରରେ ଅଛନ୍ତି। ଡେଭିଡ ୱାର୍ଣ୍ଣର ପଞ୍ଚମ ଏବଂ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି। ଶ୍ରେୟସ୍ ଆୟର୍ ୧୭ଟି ସ୍ଥାନ ଲମ୍ଫ ଦେଇ ୧୮ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି ।

ଚଳିତ ବିଶ୍ୱକପରେ ବିପକ୍ଷ ଦଳମାନଙ୍କୁ ଘାଇଲା କରିଥିବା ଭାରତୀୟ ବୋଲରଙ୍କ ଦବଦବା ଆଇସିସି ର଼୍ୟାଙ୍କିଙ୍ଗରେ ବି ଦେଖିବାକୁ ମିଳିଛି । ମହମ୍ମଦ ସିରାଜ୍ ଏକ ନମ୍ବର ମାନ୍ୟତା ହାସଲ କରିଥିବା ବେଳେ ଭାରତର ୪ ବୋଲର ଟପ୍ ୧୦ରେ ଅଛନ୍ତି |

ମହମ୍ମଦ ସିରାଜ ତୃତୀୟରୁ ଶୀର୍ଷରେ ପହଞ୍ଚିଥିବା ବେଳେ କୁଲଦୀପ ଯାଦବ ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଜସପ୍ରୀତ ବୁମରା ତିନୋଟି ସ୍ଥାନ ଉନ୍ନୀତ ହୋଇ ୮ ନମ୍ବରରେ ପହଞ୍ଚିଥିବା ବେଳେ ମହମ୍ମଦ ସାମି ୭ଟି ସ୍ଥାନ ଉଠି ୧୦ ନମ୍ବରରେ ଅଛନ୍ତି | ଅଲରାଉଣ୍ଡର ତାଲିକାରେ ବାଂଲାଦେଶ ଅଧିନାୟକ ସକିବ ଅଲ୍ ହସନ୍ ପ୍ରଥମ ସ୍ଥାନରେ ରହିଛନ୍ତି। ଗ୍ଲେନ୍ ମ୍ୟାକ୍ସୱେଲ ଦୁଇଟି ସ୍ଥାନ ଉଠି ଷଷ୍ଠ ନମ୍ବରରେ ପହଞ୍ଚିଛନ୍ତି ।

Comments are closed.