ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ, ଗିଲ୍ ହେଲେ ଗୁଜରାଟ ଟାଇଟାନ୍ସର ନୂଆ ଅଧିନାୟକ

ନୂଆଦିଲ୍ଲୀ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୁରୁଣା ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଶୁଭମାନ ଗିଲ୍ ଗୁଜରାଟ ଟାଇଟାନ୍ସ (ଜିଟି)ର ନୂଆ ଅଧିନାୟକ ହୋଇଛନ୍ତି। ଆଇପିଏଲ୍ ୨୦୨୪ରେ ଗିଲ୍ ଦଳର ନେତୃତ୍ୱ ନେବେ। ଫ୍ରାଞ୍ଚାଇଜ୍ ତରଫରୁ ସୋମବାର ଏହି ଘୋଷଣା କରାଯାଇଛି।

ଆସନ୍ତା ସିଜନରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ। ମୁମ୍ବାଇ ଇଣ୍ଡିଆନ୍ସ ଏହାର ସୋସିଆଲ ମିଡିଆରେ ଏହା ସ୍ପଷ୍ଟ କରିଛି। ପାଣ୍ଡ୍ୟାଙ୍କୁ ବଜାୟ ରଖାଯାଇଥିବା ନେଇ ଗୁଜରାଟ ରବିବାର ଘୋଷଣା କରିଥିଲା । ହେଲେ ପରେ ଗୁଜରାଟ ଏହି ଷ୍ଟାର ଅଲରାଉଣ୍ଡରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସକୁ ଟ୍ରେଡ୍ କରିଦେଇଥିଲା । ଏଥିପାଇଁ ଟ୍ରାନ୍ସଫର ଫି’ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ୧୫ କୋଟି ନଗଦ ଗୁଜରାଟକୁ ପୈଠ କରିଥିଲା, ଯାହାକି ପାଣ୍ଡ୍ୟାଙ୍କ ଆଇପିଏଲ୍ ପାଉଣା । ଇତିମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟ୍ରଲୀୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୁ ଟ୍ରେଡ୍ କରିଛି ।

ଗୁଜରାଟ ଟାଇଟନ୍ସର ନୂଆ ଅଧିନାୟକ ଶୁଭମାନ ଗିଲ୍ ଆଇପିଏଲ୍ ୨୦୨୩ରେ ସର୍ବାଧିକ ରନ୍ ସ୍କୋରର ଥିଲେ | ଗିଲ୍ ୫୯.୩୩ ଆଭରେଜରେ ୭ଟି ମ୍ୟାଚରୁ ୮୯୦ ରନ୍ କରିଥିଲେ | ୨୪ ବର୍ଷୀୟ ଗିଲ୍ ୨୦୧୮ରେ ଆଇପିଏଲ୍ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ୯୧ଟି ମ୍ୟାଚରେ ମୋଟ ୨୭୯୦ ରନ୍ କରିଛନ୍ତି।

ଗୁଜରାଟ ଟାଇଟାନ୍ସ ୨୦୨୨ ସିଜନରେ ଆଇପିଏଲ୍ ଏଣ୍ଟ୍ରି କରିଥିଲା | ଦଳ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ପ୍ରଥମ ସିଜନରେ ହିଁ ଚାମ୍ପିୟନ୍ ହୋଇଥିଲା | ୨୦୨୩ ସିଜନରେ ମଧ୍ୟ ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ହାରିଯାଇଥିଲା | ଏଭଳି ସଫଳତା ସତ୍ତ୍ୱେ ଗୁଜରାଟ ଦଳଠୁ ପାଣ୍ଡ୍ୟାଙ୍କ ବିଦାୟ ପ୍ରଶଂସକ ଓ କ୍ରିକେଟ୍ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି।

Comments are closed.