ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିଲେ ଗିଲ୍

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ୍ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ବୁଧବାର ରାତିରେ ଗିଲ୍ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ଶୱକପର ବହୁ ପ୍ରତିକ୍ଷିତ ମ୍ୟାଚ୍ ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ | ଡେଙ୍ଗୁରେ ଆକ୍ରାନ୍ତ ଯୋଗୁଁ ଗିଲ୍ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବଞ୍ଚିତ ହୋଇଥିଲେ । ହେଲେ ସେ ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ୍ ମ୍ୟାଚରେ ଖେଳିବେ କି ନାହିଁ ଟିମ୍ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିନାହିଁ । ମ୍ୟାଚ୍ ଫିଟନେସ୍ ହାସଲ କରିବାକୁ ଗିଲଙ୍କ ପାଖରେ କେବଳ ଦୁଇ ଦିନର ସମୟ ଅଛି | ଯଦି ସେ ଫିଟ୍ ହୁଅନ୍ତି ତେବେ ସେ ଏହି ମ୍ୟାଚ୍ ଖେଳିବେ ନିଶ୍ଚିତ । କାରଣ ଇଶାନ କିଶନ ପ୍ରଥମ ଦୁଇଟି ମ୍ୟାଚରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାଁନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ବଲରେ ଖାତା ଖୋଲିନପାରି ଆଉଟ୍ ହୋଇଥିଲେ । ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସେ ମନ୍ଥର ଆରମ୍ଭ କରିଥିଲେ ଓ ବଡ଼ ଇନିଂସ ଖେଳିବା ସୁଯୋଗ ହାତଛଡ଼ା କରିଥିଲେ।

ଶୁଭମାନ ଗିଲଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ମାସ୍କ ପିନ୍ଧି ସୁରକ୍ଷା କର୍ମୀଙ୍କ ସହ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ଦେଖିବାକୁ ମିଳୁଛି । ଗିଲଙ୍କ ବ୍ୟତୀତ ପାକିସ୍ତାନ ଦଳ ମଧ୍ୟ ଅହମ୍ମଦାବାଦରେ ପହଞ୍ଚି ସାରିଛି। ବୁଧବାର ଆଫଗାନିସ୍ତାନ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବା ପରେ ଭାରତୀୟ ଦଳ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି ।

ବିମାନ ବନ୍ଦରରେ ଗିଲ୍ ବହୁତ ସ୍ୱାଭାବିକ ଦେଖାଯାଉଥିଲେ । ଲାଗୁଥିଲା ସେ ଡେଙ୍ଗୁରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ବର୍ତ୍ତମାନ ତାଙ୍କୁ ମ୍ୟାଚ୍ ପାଇଁ ଫିଟନେସ୍ ହାସଲ କରିବାକୁ ପଡ଼ିବ। ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେ ବୋଲି ଆଶା କରାଯାଉଛି। ଡେଙ୍ଗୁରୁ ସୁସ୍ଥ ହେବା ପାଇଁ ସାଧାରଣତଃ ଏକ ସପ୍ତାହ ଲାଗିଥାଏ ଏବଂ ଗିଲ୍ ପରି ଖେଳାଳି ଶୀଘ୍ର ସୁସ୍ଥ ହୋଇପାରନ୍ତି । କାରଣ ସେ ପୂର୍ବରୁ ଫିଟ୍ ଥିଲେ | ଏସିଆ କପ୍ ପୂର୍ବରୁ ଅନୁଷ୍ଠିତ ୟୋ-ୟୋ ଟେଷ୍ଟରେ ମଧ୍ୟ ତାଙ୍କର ସ୍କୋର ସର୍ବାଧିକ ଥିଲା।

ଚଳିତ ବର୍ଷ ଭାରତ ପକ୍ଷରୁ ଗିଲ୍ ଦିନିକିଆରେ ସର୍ବାଧିକ ରନ୍ କରିଛନ୍ତି। ସେ ଏଯାବତ୍ ୨୦ ଇନିଂସରେ ୧୨୩୦ ରନ୍ ସଂଗ୍ରହ କରିଛନ୍ତି | ତାଙ୍କ ଆଭରେଜ୍ ୭୨.୩୫ ଥିବାବେଳେ ଷ୍ଟ୍ରାଇକ୍ ରେଟ୍ ହେଉଛି ୧୦୫.୦୩ | ସେ ଚଳିତ ବର୍ଷ ଦିନିକିଆରେ ଏକ ଦ୍ୱିଶତକ ବି ହାସଲ କରିଥିଲେ। ବିଶ୍ୱକପରେ ଭାରତ ପାଇଁ ଶୁଭମାନ ଗିଲ୍ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍। ଅହମ୍ମଦାବାଦରେ ମଧ୍ୟ ଗିଲଙ୍କ ରେକର୍ଡ ଭଲ ରହିଛି ।

Comments are closed.