ଜନ୍ମଦିନରେ ଅନଲାଇନରେ ଅର୍ଡର ହୋଇଥିବା କେକ୍ ଖାଇ ୧୦ ବର୍ଷ ଝିଅର ମୃତ୍ୟୁ

ଚଣ୍ଡିଗଡ଼: ଅନଲାଇନରେ ଅର୍ଡର ହୋଇଥିବା ଜନ୍ମଦିନ କେକ୍ ଖାଇ ଜଣେ ୧୦ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଫୁଡ୍ ପଏଜନିଂ ଯୋଗୁଁ ଝିଅଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କେକ୍ ଖାଇବା ପରେ ମୃତ ଝିଅର ସାନ ଭଉଣୀ ସହ ତାଙ୍କ ପରିବାରର ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ।

ମୃତ ଝିଅର ଜେଜେବାପା କହିଛନ୍ତି, ପଟିଆଲାର ଏକ ବେକେରୀରୁ କେକ୍ ଅନଲାଇନରେ ଅର୍ଡର କରାଯାଇଥିଲା। ପ୍ରାଣ ହରାଇଥିବା ତାଙ୍କ ନାତୁଣୀ ‘ମାନବୀ’ର ଜନ୍ମଦିନ ପାଳନ ପାଇଁ ଏହି କେକ୍ ଅନଲାଇନରେ ଅର୍ଡର କରାଯାଇଥିଲା। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ବହୁଳ ଭାବେ ସେୟାର ହୋଇଥିବା ଏକ ଭିଡିଓରେ ମାନବୀ ଓ ତାଙ୍କ ପରିବାର କେକ୍ କାଟି ହସଖୁସିରେ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା।

ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମାନବୀ କେକ୍ କାଟିଥିଲେ। ତେବେ ସେହି ଦିନ ରାତି ପ୍ରାୟ ୧୦ଟା ବେଳକୁ ଘରର ସବୁ ଲୋକ ଅସୁସ୍ଥ ଅନୁଭବ କରିଥିଲେ। ମାନବୀ ଓ ତାଙ୍କ ଭଉଣୀଙ୍କ ବାନ୍ତି ହୋଇଥିଲା । ମାନବୀ ଅତ୍ୟଧିକ ଶୋଷ ହେଉଥିବା ଅଭିଯୋଗ କରି ପାଣି ମାଗିଥିଲେ। ଏହା ପରେ ସେ ଶୋଇବାକୁ ଯାଇଥିଲେ ।

ପରଦିନ ସକାଳେ ମାନବୀଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ତାଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମାନବୀଙ୍କ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ଜେଜେବାପା କହିଛନ୍ତି ।

ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ‘କେକ୍ କାହ୍ନା’ ନାମକ ବେକେରୀରୁ ଅର୍ଡର ହୋଇଥିବା ଚକୋଲେଟ୍ କେକରେ କିଛି ବିଷାକ୍ତ ପଦାର୍ଥ ମିଶିଥିଲା। ଏନେଇ ବେକେରୀ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କେକ୍ ର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି।

Comments are closed.