ଗୋଆ ନିର୍ବାଚନ: ବିଜେପିରେ ବିଦ୍ରୋହ ଜାରି, ଟିକେଟ୍ ନ ମିଳିବାରୁ ମନ୍ତ୍ରୀ ଦୀପକ ପାଉସ୍କରଙ୍କ ଇସ୍ତଫା

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ବିଦ୍ରୋହର ଧାରା ଜାରି ରହିଛି। ଗତକାଲି ବିଜେପି ୩୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା, ଯେଉଁଥିରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଦୀପକ ପାଉସ୍କରଙ୍କ ଟିକେଟ କଟିଥିଲା । ଏଥିରେ ରାଗିଯାଇ ମନ୍ତ୍ରୀ ଦୀପକ ପାଉସ୍କର ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେବା ପରେ ଦୀପକ ପାଉସ୍କର କହିଛନ୍ତି ଯେ ମୁଁ ମୋର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପିର ୧୬ ହଜାର ସଦସ୍ୟ କରିଛି, ସେଥିମଧ୍ୟରୁ ୬୦ ପ୍ରତିଶତ ସଦସ୍ୟ ଇସ୍ତଫା ଦେଇଛନ୍ତି। ଏବେ ମୁଁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି | ଫେବୃଆରୀ ୧୪ରେ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ ଗୁରୁବାର ବିଧାନସଭା ନିର୍ବାଚନ ପାଇଁ ୩୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ବିଜେପି ପ୍ରକାଶ କରିଥିଲା। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ସାଙ୍କଲିମରୁ ପ୍ରାର୍ଥୀ କରାଯାଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ମନୋହର ଅଜଗାଓଁକରଙ୍କୁ ମାରଗାଓରୁ ଟିକେଟ ଦିଆଯାଇଛି। ଦଳ ଦୀପକ ପାଉସ୍କରଙ୍କ ସମେତ ୬ ଜଣ ବିଧାୟକଙ୍କ ଟିକେଟ୍ କାଟିଛି।

ଦଳ ଦ୍ୱାରା ନାମିତ ୩୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ନଅ ଜଣ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇଥିବାବେଳେ ତିନୋଟି ସାଧାରଣ ଆସନରୁ ଅନୁସୂଚିତ ଜନଜାତି ନେତାଙ୍କୁ ପ୍ରାର୍ଥୀ କରିଛି। ଦଳ ୯ ଜଣ ସାଧାରଣ ବର୍ଗ ନେତାଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଥିବାବେଳେ ଜଣେ ସାମ୍ବାଦିକଙ୍କୁ ମଧ୍ୟ ଟିକେଟ୍ ଦିଆଯାଇଛି। ଆଉ ୬ଟି ସିଟରେ ଦଳ ନୂଆ ପ୍ରାର୍ଥୀ ଦେଇଛି।

Comments are closed.