କରୋନାକୁ ମାତ୍ ଦେବ ଏହି ସିଙ୍ଗଲ୍ ଡୋଜ୍ ଟିକା, ଜରୁରୀ ବ୍ୟବହାର ପାଇଁ ସୁପାରିସ କଲା ସରକାରୀ ପ୍ୟାନେଲ

ନୂଆଦିଲ୍ଲୀ: ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ର ଏକ ବିଶେଷଜ୍ଞ ପ୍ୟାନେଲ୍ କୋଭିଡ୍ ଟିକା ‘ସ୍ପୁଟନିକ୍ ଲାଇଟ୍’ର ଜରୁରୀ ବ୍ୟବହାର ପାଇଁ ସୁପାରିସ୍ କରିଛି। ବିଭିନ୍ନ ନିୟାମକ ବ୍ୟବସ୍ଥା ଅନୁଯାୟୀ ଏହି ସୁପାରିସ କରାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସୂଚନା ଅନୁଯାୟୀ, ‘ସ୍ପୁଟନିକ୍ ଲାଇଟ୍’ ଆର୍ଜେଣ୍ଟିନା ଏବଂ ରୁଷ୍ ସମେତ ୨୯ଟି ଦେଶରେ ସ୍ୱୀକୃତିପ୍ରାପ୍ତ | ଚୂଡ଼ାନ୍ତ ଅନୁମୋଦନ ପାଇଁ ଏହି ସୁପାରିସକୁ ଭାରତୟ ଡ୍ରଗ୍ସ ନିୟାମକ (ଡିସିଜିଆଇ)ଙ୍କ ନିକଟକୁ ପଠାଯାଇଛି |

‘ସ୍ପୁଟନିକ୍ ଭି’ ର ସିଙ୍ଗଲ ଡୋଜ୍ ଭର୍ସନ ହେଉଛି ‘ସ୍ପୁଟନିକ୍ ଲାଇଟ୍’ । କରୋନାରୁ ସୁରକ୍ଷା ପାଇଁ ଏ‌ହି ଟିକାର ମାତ୍ର ଗୋଟିଏ ଡୋଜ୍ ହିଁ ଯଥେଷ୍ଟ | ସମ୍ପ୍ରତି ଦେଶରେ ଲୋକଙ୍କୁ ଦୁଇ ଡୋଜ୍ ବିଶିଷ୍ଟ ଟିକା ଦିଆଯାଉଛି | ସ୍ପୁଟନିକ୍ ଲାଇଟ୍ ଭର୍ସନ କରୋନା ବିରୋଧରେ ୭୯.୪% ପ୍ରଭାବୀ ବୋଲି ଜଣାପଡିଛି | ଏହାର ମୂଲ୍ୟ ୧୦ ଡଲାର୍ ତଥା ୭୩୦ ଟଙ୍କାରୁ କମ୍ |

ସ୍ପୁଟନିକ୍ ର ଏହି ଲାଇଟ୍ ଭର୍ସନ ଟିକା ମସ୍କୋର ଗାମାଲିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି ଦ୍ୱାରା ବିକଶିତ ହୋଇଛି | ଟିକାକରଣର ହାରକୁ ତ୍ୱରାନ୍ୱିତ କରିବା ପାଇଁ ଭାରତରେ ଖୁବ୍ ଶୀଘ୍ର ସ୍ପୁଟନିକ୍ ଲାଇଟ୍ ଟିକା ବ୍ୟବହାର କରାଯାଇପାରେ |

Comments are closed.