ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ କୃଷକଙ୍କୁ ଡାକିଲେ ସରକାର, ଶାନ୍ତି ବଜାୟ ରଖିବାକୁ କଲେ ଅପିଲ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସମେତ ଅନ୍ୟ ପ୍ରସଙ୍ଗରେ ପଞ୍ଚମ ରାଉଣ୍ଡ ଆଲୋଚନା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବୁଧବାର ବିକ୍ଷୋଭରତ ଚାଷୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଶାନ୍ତି ବଜାୟ ରଖିବାକୁ ଓ ସମାଧାନର ବାଟ ଖୋଜିବା ପାଇଁ ଆଲୋଚନାରେ ଯୋଗଦେବାକୁ କୃଷକମାନଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ ।

ମୁଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି, ଏମଏସପି ହେଉ ଅବା ଫସଲ ବିବିଧକରଣ, ଆମେ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ଆମେ କେବଳ କଥାବାର୍ତ୍ତା ମାଧ୍ୟମରେ ସମାଧାନ ବାହାର କରିପାରିବା । ମୁଁ ସେମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛି । ସେମାନଙ୍କୁ ଶାନ୍ତି ବଜାୟ ରଖି ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବା ଭଳି ସମାଧାନ ବାହାର କରିବାକୁ ଅପିଲ କରିଛି। ”

ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଏଯାବତ୍ ଚାରି ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । ରବିବାର ଚଣ୍ଡିଗଡ଼ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ କେନ୍ଦ୍ର ସରକାର ଏମଏସପି ହାରରେ ଡାଲି, ମକା ଏବଂ କପା କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ କୃଷକ ନେତାମାନେ କେନ୍ଦ୍ରର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି କୃଷକମାନେ ପୁଣି ‘ ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଥିଲେ । ହେଲେ ପଞ୍ଜାବ ଓ ହରିୟାଣା ମଧ୍ୟରେ ଶମ୍ଭୁ ସୀମାରେ ପୁଣି ସୁରକ୍ଷା ବାହିନୀ ସହ ସେମାନଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀମାନେ ଜେସିବି ଓ ବୁଲଡୋଜର ସହ କଂକ୍ରିଟ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କଲାବେଳେ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

Comments are closed.