କୁସ୍ତିଯୋଦ୍ଧାଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କଲେ ସରକାର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାମାନଙ୍କୁ ସରକାର ପୁଣି ଥରେ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅନୁରାଗ କହିଛନ୍ତି, କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ମୁଁ ପୁଣି ଥରେ କଥାବାର୍ତ୍ତା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରିଛି |

ନିକଟରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଏବଂ ବିନେଶ ଫୋଗାଟଙ୍କ ଭଳି ଷ୍ଟାର କୁସ୍ତିଯୋଦ୍ଧା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ନିଜ ନିଜ ରେଳବାଇ ଚାକିରିରେ ଯୋଗ ଦେଇଥିଲେ। ତେବେ ସେମାନଙ୍କ ଲଢ଼େଇ ଶେଷ ହୋଇନାହିଁ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କୁସ୍ତିଯୋଦ୍ଧାଯାନେ କହିଥିଲେ ।

ଅନ୍ୟପକ୍ଷରେ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସ ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରେ। ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ପାଇପାରି ନାହିଁ । ଏଭଳି ସ୍ଥିତିରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ବନ୍ଦ କରିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି । ଯଦି ଦିଲ୍ଲୀ ପୋଲିସ ଏହି ମାମଲା ବନ୍ଦ କରିବାକୁ ନିଷ୍ପତ୍ତି ନିଏ, ତେବେ ଏହା କୁସ୍ତିଯୋଦ୍ଧାଙ୍କ ପାଇଁ ଏକ ବଡ଼ ଝଟକା ହେବ ।

Comments are closed.