ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସବୁ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ କହିଲେ ସରକାର

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଧିବେଶନର ଏଜେଣ୍ଡା ଉପରେ ଏହି ବୈଠକରେ ଆଲୋଚନା କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ୨୩ଟି ଦଳର ୩୦ ଜଣ ନେତା ଯୋଗ ଦେଇଥିଲେ । ସେମାନେ ସରକାରଙ୍କୁ ଅନେକ ପ୍ରସ୍ତାବ ଓ ପରାମର୍ଶ ଦେଇଥିଲେ। ବିରୋଧୀଙ୍କ ମତାମତକୁ ସକରାତ୍ମକ ଭାବେ ଗ୍ରହଣ କରାଯାଇଛି ବୋଲି ଯୋଶୀ କହିଛନ୍ତି।

ସର୍ବଦଳୀୟ ବୈଠକ ଶେଷ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଶୀତ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ୧୯ ଦିନ ଧରି ଚାଲିବାକୁ ଥିବା ଅଧିବେଶନରେ ୧୫ ଟି କାର୍ଯ୍ୟଦିବସ ରହିବ | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଆମେ ଏକ ସର୍ବଦଳୀୟ ବ ବୈଠକ ଡାକିଥିଲୁ। ଏଥିରେ ୨୩ଟି ଦଳର ୩୦ ନେତା ଯୋଗ ଦେଇଥିଲେ। ବୈଠକରେ ଅନେକ ପରାମର୍ଶ ରଖାଯାଇଥିଲା । ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ନିୟମକୁ ଧ୍ୟାନରେ ରଖି ଆଲୋଚନା ହେବା ଉଚିତ୍।

ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, କଂଗ୍ରେସ ନେତା ଜୟରାମ ରମେଶ, ଗୌରବ ଗୋଗୋଇ ଏବଂ ପ୍ରମୋଦ ତିୱାରୀ, ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ, ଏନସିପି ନେତା ଫୈଜିଆ ଖାନଙ୍କ ସମେତ ୩୦ ଜଣ ନେତା ଯୋଗ ଦେଇଛନ୍ତି।

ଶୀତକାଳୀନ ଅଧିବେଶନରେ ଭାରତୀୟ ନ୍ୟାୟ ସଂହିତା ବିଲ୍ ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍ ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଲ୍ ୨୦୨୩ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି।

ସର୍ବଦଳୀୟ ବୈଠକ ପରେ ପ୍ରମୋଦ ତିୱାରୀ ତୃଣମୂଳ ସାଂସଦ ମହୁଆ ମଇତ୍ରଙ୍କୁ ସମର୍ଥନ ଜଣାଇଥିଲେ। ସେ କହିଥିଲେ କଂଗ୍ରେସର ବିଶ୍ୱାସ ଯେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନଙ୍କ ସଦସ୍ୟତାକୁ କୌଣସି କମିଟି ଛଡ଼ାଇ ନେବା ଉଚିତ୍ ନୁହେଁ | ଏହା ଉପରେ ଆଲୋଚନା ଜରୁରୀ |

ଉଲ୍ଲେଖଯୋଗ୍ୟ, ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭାର ଏଥିକ୍ସ କମିଟି ମହୁଆ ମଇତ୍ରଙ୍କୁ ସଂସଦରୁ ବହିଷ୍କାର କରିବାକୁ ସୁପାରିସ ଦେଇଛି।

Comments are closed.