ରେଷ୍ଟୁରାଣ୍ଟ ସଂଘକୁ ସରକାରଙ୍କ ତାଗିଦ୍: ଗ୍ରାହକଙ୍କ ଠାରୁ ଜବରଦସ୍ତି ସର୍ଭିସ୍ ଚାର୍ଜ ଆଦାୟ ବେଆଇନ

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ଗ୍ରାହକଙ୍କଠାରୁ ସେବା ଶୁଳ୍କ (ସର୍ଭିସ୍ ଚାର୍ଜ) ଉପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରେଷ୍ଟୁରାଣ୍ଟରେ ଖାଇବା ପରେ ଗ୍ରାହକଙ୍କ ଠାରୁ ଜବରଦସ୍ତି ସେବା ଶୁଳ୍କ ଆଦାୟ କରାଯାଉଛି ବୋଲି ଜାତୀୟ ଖାଉଟି ହେଲ୍ପଲାଇନରେ ବାରମ୍ବାର ଅଭିଯୋଗ ହେଉଛି । ଏହି ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ସରକାର ଗୁରୁବାର ରେଷ୍ଟୁରାଣ୍ଟ ଆସୋସିଏସନ ଏବଂ ଖାଉଟି ସଂଗଠନର ଏକ ବୈଠକ ଡ଼ାକିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ ଏହି ବୈଠକରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସଚିବ ରୋହିତ କୁମାର ସିଂ ଅଧ୍ୟକ୍ଷତା କରିଥିଲେ।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ବର୍ତ୍ତମାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗୁରୁବାର ଅନୁଷ୍ଠିତ ବୈଠକରେ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ ଖାଇବା ପରେ ଗ୍ରାହକମାନଙ୍କଠାରୁ ଜବରଦସ୍ତି ସର୍ଭିସ୍ ଚାର୍ଜ ଆଦାୟ କରିବା ବେଆଇନ ଏବଂ ଅନୁଚିତ ବାଣିଜ୍ୟ ବର୍ଗରେ ଆସିଥାଏ | ଏହି ପ୍ରସଙ୍ଗରେ ସରକାର ଖୁବ୍ ଶୀଘ୍ର ବିସ୍ତୃତ ମାର୍ଗଦର୍ଶିକା ଜାରି କରିବେ। ସର୍ଭିସ୍ ଚାର୍ଜ ନେଇ ଆସିଥିବା ଅଭିଯୋଗ ସମ୍ପର୍କରେ ସରକାର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ପ୍ରତିନିଧୀଙ୍କୁ ଅବଗତ କରାଇଥିଲେ। ସରକାର କହିଛନ୍ତି ଯେ ଗ୍ରାହକଙ୍କ ସହମତି ବିନା ମେନ୍ୟୁରେ ସର୍ଭିସ୍ ଚାର୍ଜ ଯୋଡ଼ି ଦିଆଯାଉଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ସର୍ଭିସ୍ ଚାର୍ଜ ବାଧ୍ୟତାମୂଳକ ନୁହେଁ ବରଂ ଗ୍ରାହକଙ୍କ ଇଚ୍ଛାଧୀନ ଅଟେ ।

ଖାଉଟି ସଂଗଠନ ଯୁକ୍ତି କରିଛି ଯେ ଯେତେବେଳେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକୁ ଖାଦ୍ୟର ମୂଲ୍ୟ ନିର୍ଣ୍ଣୟ କରିବାର ସ୍ବାଧିନତା ରହିଛି, ସେତେବେଳେ ସର୍ଭିସ୍ ଚାର୍ଜ ଆକାରରେ ଅତିରିକ୍ତ ବୋଝ ଲଦିଲେ ଖାଉଟି ସୁରକ୍ଷା ଆଇନ ଏବଂ ଅନୁଚିତ ବାଣିଜ୍ୟ (ପ୍ରତିରୋଧ) ଆଇନ ଅନୁଯାୟୀ ଏହା ଅଯୌକ୍ତିକ ବ୍ୟାବସାୟିକ କୌଶଳ ବୋଲି ଧରି ନିଆଯିବ । ଅନ୍ୟପକ୍ଷରେ ରେଷ୍ଟୁରାଣ୍ଟ ଏବଂ ହୋଟେଲ ପ୍ରତିନିଧୀମାନେ ଦାବି କରିଛନ୍ତି ଯେ ସର୍ଭିସ୍ ଚାର୍ଜ ଖାଦ୍ୟ ପାଇଁ ନୁହେଁ ବରଂ ସେମାନଙ୍କ କର୍ମଚାରୀ ଏବଂ ଶ୍ରମିକଙ୍କ ପାଇଁ ବିଲ୍ ରେ ଯୋଡାଯାଉଛି । ସେମାନେ ଏହା ମଧ୍ୟ କହିଛନ୍ତି ଯେ ମେନ୍ୟୁରେ ସର୍ଭିସ୍ ଚାର୍ଜ ଯୋଗାଇବା ଗ୍ରାହକଙ୍କ ସହମତି ସହ ସମାନ। ତେବେ ସରକାର ଏହି ଯୁକ୍ତିରେ ସହମତ ନୁହଁନ୍ତି।

Comments are closed.