‘ଅଗ୍ନିପଥ’କୁ ବିରୋଧ ମଧ୍ୟରେ ସରକାରଙ୍କ ନିଷ୍ପତ୍ତି, ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ସେନାବାହିନୀରେ ନୂଆ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି ଲାଗି ‘ଅଗ୍ନିବୀର’ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି।

ଯେଉଁମାନେ ‘ଅଗ୍ନିବୀର’ ଭାବେ ସେବା ଶେଷ କରିଛନ୍ତି, ସେମାନଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ କରାଯିବ | ଗୃହ ମନ୍ତ୍ରଣାଳୟ ଘୋଷଣା ଅନୁଯାୟୀ, ‘ଅଗ୍ନିବୀର’ଙ୍କ ସର୍ବାଧିକ ବୟସ ସୀମା ତିନି ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ। ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତ ପ୍ରଥମ ବ୍ୟାଚ୍ ‘ଅଗ୍ନିବୀର’ ଙ୍କ ପାଇଁ ବୟସ ସୀମା ପାଞ୍ଚ ବର୍ଷ ଯାଏଁ କୋହଳ ହେବ |

ସୂଚନାଯୋଗ୍ୟ ଯେ ସେନାର ତିନୋଟି ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ। ସେନାବାହିନୀରେ ଅଗ୍ନିପଥ ଯୋଜନା ଅଧୀନରେ ସୈନିକଙ୍କୁ ଚାରି ବର୍ଷ ପାଇଁ ନିଯୁକ୍ତି ଦିଆଯିବ |

ଅଗ୍ନିପଥ ଯୋଜନା ବିରୋଧରେ ବିହାର ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ, ହରିୟାଣା, ମଧ୍ୟ ପ୍ରଦେଶ, ତେଲେଙ୍ଗାନ, ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି । ବିକ୍ଷୋଭକାରୀ ଯୁବକମାନେ ୧୨ରୁ ଅଧିକ ଟ୍ରେନ୍ ପୋଡି ଦେଇଥିବା ବେଳେ ବିଭିନ୍ନ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ବିହାରର ଉପମୁଖ୍ୟମନ୍ତ୍ରୀଙ୍କ ଘର ସହ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଉତ୍ତ୍ୟକ୍ତ ଯୁବକ ଭଙ୍ଗାରୁଜା କରିଛନ୍ତି ।

Comments are closed.