ଏୟାର ଇଣ୍ଡିଆର ନବ ନିଯୁକ୍ତ ସିଇଓ ଇଲକର ଆୟସିଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିବେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ଏୟାର ଇଣ୍ଡିଆର ନବ ନିଯୁକ୍ତ ସିଇଓ ତଥା ଏମଡି ଇଲକର ଆୟସିଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିବେ। ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସରକାରଙ୍କ ଠାରୁ ଏୟାର ଇଣ୍ଡିଆ କିଣିଥିବା ଟାଟା ଗ୍ରୁପ୍ ନିକଟରେ ଆୟସିଙ୍କୁ ଏହି ଋଣଗ୍ରସ୍ତ ଏୟାରଲାଇନ୍ସର ସିଇଓ ତଥା ଏମଡି ଭାବେ ନିଯୁକ୍ତ କରିଥିଲା । ଆୟସି ଜଣେ ତୁର୍କୀ ନାଗରିକ |

ଜଣେ ଅଧିକାରୀ କହିଛନ୍ତି ଯେ ଯେତେବେଳେ ବିଦେଶୀ ନାଗରିକ କୌଣସି ଭାରତୀୟ କମ୍ପାନୀରେ ପ୍ରମୁଖ ପଦବୀରେ ନିଯୁକ୍ତ ହୁଅନ୍ତି, ଗୃହ ମନ୍ତ୍ରଣାଳୟ ସେମାନଙ୍କ ପୃଷ୍ଠଭୂମି ଉପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିଥାଏ । ଏୟାର ଇଣ୍ଡିଆର ନବ ନିଯୁକ୍ତ ସିଇଓ ଏବଂ ଏମଡିଙ୍କ ପାଇଁ ମଧ୍ୟ ସମାନ ପ୍ରକ୍ରିୟା ଅନୁସରଣ କରାଯିବ ବୋଲି କୁହାଯାଇଛି।
ତେବେ ଆୟସିଙ୍କୁ ନେଇ ଗୃହ ମନ୍ତ୍ରାଳୟ ଏ ବାବଦରେ ଟାଟା ଗ୍ରୁପ୍ କିମ୍ବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟ ଠାରୁ ଏପର୍ଯ୍ୟନ୍ତ କୌଣସି ସୂଚନା ପାଇନାହିଁ | ସୂଚନା ମିଳିଲା ପରେ ସୁରକ୍ଷା କ୍ଲିୟରାନ୍ସର ସମ୍ପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂତ୍ରରୁ ପ୍ରକାଶ।

ଆୟସି ଜଣେ ତୁର୍କୀ ନାଗରିକ ହୋଇଥିବାରୁ ତାଙ୍କ ପୃଷ୍ଠଭୂମି ଅନୁସନ୍ଧାନ ପାଇଁ ଗୃହ ମନ୍ତ୍ରଣାଳୟ ଗୁପ୍ତଚର ଏଜେନ୍ସି ର’ ରୁ ସହଯୋଗ ଲୋଡିବ ବୋଲି ଆଶା କରାଯାଉଛି। ୧୯୯୪ ରୁ ୧୯୯୮ ପର୍ଯ୍ୟନ୍ତ ଇସ୍ତାନବୁଲର ମେୟର ଥିବାବେଳେ ଆୟସି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗାନଙ୍କ ପରାମର୍ଶଦାତା ଥିଲେ। ସେ ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ତୁର୍କୀ ଏୟାରଲାଇନ୍ସର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏହାକୁ ଲାଭକାରୀ କମ୍ପାନୀରେ ପରିଣତ କରିବାରେ ତାଙ୍କୁ ଶ୍ରେୟ ଦିଆଯାଇଥିଲା।

୧୯୭୧ ମସିହାରେ ଇସ୍ତାନବୁଲରେ ଜନ୍ମଗ୍ରହଣ କରିଥିବା ଆୟସି ହେଉଛନ୍ତି ବିଲକେଣ୍ଟ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଏବଂ ସାଧାରଣ ପ୍ରଶାସନ ବିଭାଗର ପ୍ରାକ୍ତନ ଛାତ୍ର | ସେ ୧୯୯୭ରେ ଇସ୍ତାନବୁଲର ମାରମାରା ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ୍ ରିଲେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ | ସେ ୨୦୧୫ ରୁ ୬ ବର୍ଷ ପାଇଁ ତୁର୍କୀ ଏୟାରଲାଇନ୍ସର ନେତୃତ୍ବ ସମ୍ଭାଳିଥିଲେ |

Comments are closed.