ଆଜି ଲକ୍ଷ୍ନୌରେ ଜିଏସଟି କାଉନସିଲ ବୈଠକ, ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ଲକ୍ଷ୍ନୌରେ ଜିଏସଟି କାଉନସିଲ ବୈଠକ ବସିବ । ଏଥିରେ ପେଟ୍ରୋଲ-ଡିଜେଲ, ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନକୁ ଜିଏସଟି ଅଧୀନକୁ ଆଣିବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। କରୋନା ମହାମାରୀ ପରଠାରୁ ଜିଏସଟି ପରିଷଦର ଏହା ପ୍ରଥମ ଅଫ୍ ଲାଇନ୍ ବୈଠକ ହେବ।

ଜିଏସଟି ପରିଷଦର ଏହି ୪୫ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ବୈଠକରେ ମନ୍ତ୍ରୀ ଗୋଷ୍ଠୀ ‘ଏକ ଦେଶ-ଏକ ଦର’ ପ୍ରସ୍ତାବ ଉପରେ ଆଲୋଚନା କରିପାରନ୍ତି। ଜିଏସଟି ଅଧୀନରେ ଏକ କିମ୍ବା ଅଧିକ ପେଟ୍ରୋଲିୟମ ଉତ୍ପାଦ ଆଣିବାକୁ ବୈଠକରେ ଆଲୋଚନା ହୋଇପାରେ।

ଯଦି ଜିଏସଟି ପରିଷଦ ମନ୍ତ୍ରୀ ଗୋଷ୍ଠୀର ପ୍ରସ୍ତାବକୁ ଅନୁମୋଦନ କରେ, ତେବେ ଦେଶର ସମସ୍ତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସମାନ ହେବ। କେବଳ ଏତିକି ନୁହେଁ, ଏକକ ଜିଏସଟି ଦର ଯୋଗୁଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ମଧ୍ୟ ହ୍ରାସ ଘଟିବ | ତେବେ ଜିଏସଟି ପରିଷଦ ଏହି ପ୍ରସ୍ତାବରେ ସହମତ ନଥିବା ଜଣାପଡ଼ିଛି। ରାଜସ୍ୱକୁ ଦୃଷ୍ଟିରେ ରଖି ଜିଏସଟି ପରିଷଦର ଉଚ୍ଚ ପଦାଧିକାରୀମାନେ ପେଟ୍ରୋଲିୟମ ଉତ୍ପାଦ ଉପରେ ଏକକ ଜିଏସଟି ଲାଗୁ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ସୂତ୍ରରୁ ପ୍ରକାଶ।

୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ଏବଂ କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦରୁ ୫.୫୫ ଲକ୍ଷ କୋଟି ରାଜସ୍ୱ ପାଇଥିଲେ। ଏଥିରେ ସରକାର ପେଟ୍ରୋଲ ଏବଂ ଡିଜେଲରୁ ସର୍ବାଧିକ ରାଜସ୍ୱ ପାଇଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୩୨% ଟିକସ ନେଉଛନ୍ତି ଏବଂ ରାଜ୍ୟ ସରକାର ପ୍ରାୟ ୨୩.୦୭% ଟିକସ ସଂଗ୍ରହ କରୁଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ୩୫ ଏବଂ ରାଜ୍ୟ ସରକାର ଡିଜେଲ ଉପରେ ୧୪% ରୁ ଅଧିକ ଟିକସ ଆଦାୟ କରୁଛନ୍ତି।

Comments are closed.