ଗୁଜରାଟ ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି

ଅହମ୍ମଦାବାଦ: ଗୁଜରାଟର ମୋର୍ବିସ୍ଥିତ ମଚ୍ଛୁ ନଦୀରେ ରବିବାର ଝୁଲା ପୋଲ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ଏପର୍ଯ୍ୟନ୍ତ ୧୭୫ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ମୁତାବକ ଭାରତୀୟ ନୌସେନାର ୫୦ ଜଣ କର୍ମଚାରୀଙ୍କ ସହ ଏନଡିଆରଏଫର ୩ଟି ସ୍କ୍ବାଡ୍, ଭାରତୀୟ ବାୟୁସେନାର ୩୦ ଜଣ କର୍ମଚାରୀଙ୍କ ସହ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ କାର୍ଯ୍ୟ ପାଇଁ ସେନାର ୨ ଟି ଟିମ୍ ଏବଂ ଫାୟାର ବ୍ରିଗେଡର ୭ଟି ଟିମ୍ ରାଜକୋଟ, ଡିୟୁ, ସୁରେନ୍ଦ୍ରନଗର ଓ ଜାମନଗରରୁ ଉନ୍ନତ ଉପକରଣ ସହ ମୋର୍ବିକୁ ଯାଇଛନ୍ତି | ଏହାଛଡ଼ା ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଏସଡିଆରଏଫର ୩ଟି ସ୍କ୍ବାଡ୍ ଏବଂ ୨ ଟି ସ୍କ୍ବାଡ୍ ଷ୍ଟେଟ୍ ରିଜର୍ଭ ପୋଲିସ୍ ମଧ୍ୟ ମୋର୍ବିରେ ପହଞ୍ଚିଛନ୍ତି। ଚିକିତ୍ସା ପାଇଁ ରାଜକୋଟ ସିଭିଲ ହସ୍ପିଟାଲରେ ଏକ ସ୍ବତନ୍ତ୍ର ୱାର୍ଡ କରାଯାଇଛି।

ଏହି ଟ୍ରାଜେଡି ନେଇ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ସହ କଥା ହୋଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ସରକାର ଏହି ଦୁର୍ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମୋର୍ବି ଜିଲ୍ଲା ପ୍ରଶାସନ ଏକ ହେଲ୍ପଲାଇନ ନମ୍ବର- ୦୨୮୨୨ ୨୪୩୩୦୦ ଜାରି କରିଛି |

ଝୁଲା ପୋଲଟି ପ୍ରାୟ ୧୦୦ ବର୍ଷ ପୁରୁଣା ଥିଲା ବୋଲି କୁହାଯାଇଛି | ନିକଟରେ ଏହାର ନବୀକରଣ ଓ ମରାମତି ପରେ ଅକ୍ଟୋବର ୨୬ରେ ଏହାକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ଏହି ପୋଲର ମରାମତି ଗତ ସାତ ମାସ ଧରି ଚାଲିଥିଲା। ନବୀକରଣ କାର୍ଯ୍ୟ ଏକ ଟ୍ରଷ୍ଟ ଦ୍ୱାରା କରାଯାଇଥିଲା | ତେବେ ଏହି ପୋଲର ଫିଟନେସ ସାର୍ଟିଫିକେଟ ନଥିଲା ବୋଲି ଅଭିଯୋଗ ହୋଇଛି । ଦୀର୍ଘ ଦିନ ପରେ ପୋଲ ଖୋଲିବା ପରେ ରବିବାର ଛୁଟିଦିନ ଥିବାରୁ ବହୁ ସଂଖ୍ୟାରେ ଲୋକ ସେମାନଙ୍କ ପରିବାର ସହିତ ଫଟୋ ଉଠାଇବା ପାଇଁ ସେଠାରେ ପହଞ୍ଚିଥିଲେ। ଘଟଣା ବେଳେ ପ୍ରାୟ ୫୦୦ ଲୋକ ଏହି ପୋଲରେ ଥିଲେ ବୋଲି କୁହାଯାଇଛି ।

Comments are closed.