ଆଇପିଏଲ୍: ବିଜୟରୁ ଗୁଜରାଟ ଟାଇଟନ୍ସର ଅଭିଯାନ, ଲଗାତାର ତୃତୀୟ ଥର ସୁପରକିଙ୍ଗ୍ସକୁ ହରାଇଲା

ଅହମ୍ମଦାବାଦ: ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସ ବିଜୟରୁ ନିଜ ଆଇପିଏଲ୍ ଅଭିଯାନ ଆରମ୍ଭ କରିଛି | ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ୧୬ତମ ସିଜନର ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ୪ ଥରର ବିଜେତା ଏସ୍ଏସ୍ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ହରାଇ ଦେଇଛି | ଚେନ୍ନାଇ ବିପକ୍ଷରେ ଗୁଜରାଟର ଏହା କ୍ରମାଗତ ତୃତୀୟ ବିଜୟ। ଗୁଜରାଟ ଗତ ସିଜନରେ ମଧ୍ୟ ଚେନ୍ନାଇ ବିପକ୍ଷରେ ଦୁଇଟି ଯାକ ମ୍ୟାଚ୍ ଜିତିଥିଲା ।

ଚେନ୍ନାଇ ପ୍ରଦତ୍ତ ୧୭୯ ରନର ଲକ୍ଷ୍ୟକୁ ପିଛାକରି ଗୁଜରାଟ ୧୯.୨ ଓଭରରେ ୫ ୱିକେଟ୍ ହରାଇ ବିଜୟ ହାସଲ କରିନେଇଥିଲା ​​| ଦଳ ପକ୍ଷରୁ ଶୁଭମାନ ଗିଲ୍ ୬ଟି ଚୌକା ଓ ୩ଟି ଛକା ସହ ୩୬ ବଲରେ ସର୍ବାଧିକ ୬୩ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଦ୍ଧିମାନ ସାହା ୨୫, ସାଇ ସୁଦର୍ଶନ ୨୨ ଓ ବିଜୟ ଶଙ୍କର ୨୭ ରନ୍ କରିଥିଲେ।

ଚେନ୍ନାଇ ତରଫରୁ ରାଜବର୍ଦ୍ଧନ ହେଙ୍ଗ୍ରେକର ସର୍ବାଧିକ ୩ଟି ଓ୍ବିକେଟ୍ ନେଇଥିଲେ |

ଗୁଜରାଟ ଟାଇଟନ୍ସ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଚେନ୍ନାଇ ଶୀଘ୍ର ଓପନର ଡେଭନ କନୱେଙ୍କ ୱିକେଟ୍ ହରାଇଥିଲା । କନୱେ ମାତ୍ର ୧ ରନ୍ କରି ମହମ୍ମଦ ସାମିଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ । ଏହି ପ୍ରାରମ୍ଭିକ ଝଟକା ପରେ ଋତୁରାଜ ଓ ମୋଇନ୍ ଅଲ୍ଲୀ ପାଳି ସମ୍ଭାଳିଥିଲେ । ଦୁହେଁ ଦ୍ୱିତୀୟ ୱିକେଟରେ ଦ୍ରୁତ ୩୬ ରନ୍ ଯୋଗ କରିଥିଲେ । ବିଶେଷକରି ଋତୁରାଜ ଆରମ୍ଭରୁ ଷ୍ଟାଡିୟମ ଚାରିପଟେ ଆକର୍ଷଣୀୟ ସଟମାନ ଖେଳିଥିଲେ । ତେବେ ମୋଇନଙ୍କୁ ଆଉଟ୍ କରି ରସିଦ ଖାନ ଘରୋଇ ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ । ମୋଇନ୍ ୧୭ଟି ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହ ୨୩ ରନ୍ କରି ଆଉଟ୍ ହୋଇଥିଲେ ।

ଏହାପରେ କ୍ରିଜକୁ ଓହ୍ଲାଇଥିବା ଇଂଲଣ୍ଡ ଷ୍ଟାର ବେନ୍ ଷ୍ଟୋକ୍ସ ମାତ୍ର ୭ ରନ୍ କରି ରସିଦଙ୍କ ଦ୍ୱିତୀୟ ଶିକାର ବନିଥିଲେ ।
ଅନ୍ୟପଟେ ଋତୁରାଜ ଶୀଘ୍ର ତାଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ । ମହାରାଷ୍ଟ୍ରର ଏହି ଯୁବ ବ୍ୟାଟର ଏକାକି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କାରଣ ଅନ୍ୟପଟେ ୱିକେଟ୍ ପତନ ଜାରି ରହିଥିଲା । ଷ୍ଟୋକ୍ସଙ୍କ ପରେ କ୍ରିଜକୁ ଓହ୍ଲାଇଥିବା ଅମ୍ବାତି ରାୟୁଡୁ (୧୨) ମଧ୍ୟ ବିଫଳ ହୋଇଥିଲେ ।

ସେପଟେ ଋତୁରାଜଙ୍କ ପାଖରେ ଶତକ ପୂରଣ କରିବାର ସୁଯୋଗ ଥିଲା । ହେଲେ ସେ ମାତ୍ର ୮ ରନ୍ ପାଇଁ ଏହି ଲକ୍ଷ୍ୟରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ଆଉଟ୍ କରି ଆଲଜାରି ଯୋଶେଫ୍ ଗୁଜରାଟକୁ ଏକ ବଡ଼ ସଫଳତା ଦେଇଥିଲେ । ଋତୁରାଜ ମାତ୍ର ୫୦ ବଲରେ ୪ଟି ଚୌକା ଓ ୯ଟି ଛକା ସହ ବିସ୍ଫୋରକ ୯୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ରବୀନ୍ଦ୍ର ଜାଡେଜା ମାତ୍ର ୧ ରନ୍ କରି ଆଉଟ୍ ହୋଇଥିବା ବେଳେ କ୍ୟାପଟେନ୍ ଧୋନି ୭ଟି ବଲରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହ ୧୪ ରନ୍ କରି ଅପରାଜିତ ରହିଥିଲେ । ଗୁୁଜରାଟ ପକ୍ଷରୁ ସାମି, ରସିଦ ଓ ଯୋଶେଫ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.