ସିଧା ପ୍ରସାରଣ ଚାଲିଥିବା ବେଳେ ଟିଭି ଷ୍ଟୁଡିଓରେ ପଶିଲେ ବନ୍ଧୁକଧାରୀ, ଭିଡ଼ିଓ ଭାଇରାଲ

ଗୁଆୟାକିଲ: ସିଧା ପ୍ରସାରଣ ଚାଲିଥିବା ବେଳେ ହଠାତ୍ ଟିଭି ଷ୍ଟୁଡିଓରେ ପଶିଲେ ମୁଖାପିନ୍ଧା ବନ୍ଧୁକଧାରୀ । ଇକ୍ବେଡରର ଗୁଆୟାକିଲରେ ଘଟିଛି ଏଭଳି ଘଟଣା। ବନ୍ଧୁକଧାରୀ ପଶି ଆସିବା ପରେ ଷ୍ଟୁଡିଓରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା | ବନ୍ଧୁକଧାରୀମାନେ ଉପସ୍ଥିତ ସାମ୍ବାଦିକ ଏବଂ କର୍ମଚାରୀମାନଙ୍କୁ ଷ୍ଟୁଡିଓରେ ପଣବନ୍ଦୀ ରଖିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପିସ୍ତଲ ଓ ଡାଇନାମାଇଟ୍ ପରି ଦେଖାଯାଉଥିବା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କିଛି ମୁଖାପିନ୍ଧା ଲୋକ ଗୁଆୟାକିଲରେ ଏକ ଟିଭି ନେଟୱାର୍କର ସେଟ୍ ଭିତରକୁ ପଶି ସେମାନଙ୍କ ପାଖରେ ବୋମା ଅଛି ବୋଲି ପାଟି କରି କହିଥିଲେ । ଭିଡିଓରେ ଗୁଳି ଫୁଟିବା ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।

ସିଗନାଲ କଟାଯିବା ପୂର୍ବରୁ ଚ୍ୟାନେଲ୍ ଅତି କମରେ ୧୫ ମିନିଟ୍ ପାଇଁ ସିଧା ପ୍ରସାରଣ ଜାରି ରଖିଥିଲା | ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଟିଭି ଚ୍ୟାନେଲର କର୍ମଚାରୀମାନେ ଷ୍ଟୁଡିଓ ଚଟାଣରେ ବସିଛନ୍ତି।

ଷ୍ଟୁଡିଓରେ ପଶିଥିବା ସଶସ୍ତ୍ର ଲୋକଙ୍କୁ ଗିରଫ କରାଯାଇଛି। ଏହାକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ଆମେ ବିବେଚନା କରୁଛୁ ବୋଲି ପୋଲିସ କମାଣ୍ଡର ସେସର ଜାପାଟା କହିଛନ୍ତି ।

କିଛି ଦିନ ପୂର୍ବେ ପୋଲିସ୍ ଅଧିକାରୀଙ୍କ ଅପହରଣ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ଜଣେ ପ୍ରଭାବଶାଳୀ ଗ୍ୟାଙ୍ଗର ନେତା ଜେଲରୁ ଖସି ପଳାଇଥିଲେ । ତା’ପରଠୁ ଇକ୍ୱାଡୋରରେ ଏଭଳି ଆକ୍ରମଣମାନ ଘଟୁଛି। ଲସ୍ ଚୋନେରୋସ୍ ଗ୍ୟାଙ୍ଗର ନେତା ଆଡଲଫୋ ମାକିଆସ୍ ଓରଫ୍ ‘ଫିଟୋ’ ରବିବାର ତାଙ୍କ ଜେଲ୍ କୋଠରୀରୁ ନିଖୋଜ ହୋଇଯାଇଥିଲେ।

ଦେଶରେ ବଢ଼ି ଚାଲିଥିବା ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଷ୍ଟ୍ରପତି ଡାନିଏଲ ନୋବୋଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବିଚାର କରାଯାଉଛି ବୋଲି କହିଛନ୍ତି। ଯାହା ଫଳରେ ଜେଲ୍ ଗୁଡ଼ିକରେ ସେନା ମୁତୟନ ହୋଇପାରିବ |

ନିକଟ ଅତୀତରେ ଇକ୍ବେଡରରେ ଡ୍ରଗ୍ କାରବାର ମାମଲା ଯଥେଷ୍ଟ ବଢ଼ି ଯାଇଛି। ଏଥିସହ ହତ୍ୟା ଓ ଅପହରଣ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି।

Comments are closed.