ଆଜିଠାରୁ ହାଙ୍ଗଝୋ ଏସୀୟ କ୍ରୀଡ଼ା, ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ହାଙ୍ଗଝୋ: ଚୀନର ହାଙ୍ଗଝୋ ଠାରେ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି ଏସିଆ ମହାଦେଶର କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ା । କୋଭିଡ-୧୯ ମହାମାରୀ କାରଣରୁ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହେଉଥିବା ଏହି ଏସୀୟ କ୍ରୀଡ଼ାରେ ଅଲିମ୍ପିକ୍ ଚାମ୍ପିୟନ୍ ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ କ୍ରୀଡ଼ା ଶକ୍ତି ଭାବେ ନିଜର ପ୍ରାଧାନ୍ୟ ସାବ୍ୟସ୍ତ କରିବାକୁ ଚାହିଁବ ।

ଭାରତ ଏଥର ୩୯ଟି ଇଭେଣ୍ଟ ପାଇଁ ରେକର୍ଡ ୬୫୫ ଜଣିଆ ଆଥଲେଟ୍ ଦଳ ସହ ହାଙ୍ଗଝୋରେ ପହଞ୍ଚିଛି । ୨୦୧୮ ଜାକର୍ତ୍ତା ସଂସ୍କରଣରେ ଭାରତ ୭୦ଟି ପଦକ (୧୬ଟି ସ୍ୱର୍ଣ୍ଣ, ୨୩ଟି ରୈପ୍ୟ ଏବଂ ୩୧ଟି ବ୍ରୋଞ୍ଜ) ଜିତିଥିଲା। ଏଥର ଏହାକୁ ଟପିବାକୁ ଚେଷ୍ଟା କରିବ ଭାରତ । ଏବଂ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଏହାର ଐତିହାସିକ ପ୍ରଦର୍ଶନ ପରଠାରୁ କ୍ରୀଡ଼ା କ୍ଷେତ୍ରରେ କିପରି ଦେଶ ଅଗ୍ରଗତି କରିଛି ତାହା ଦେଖାଇବାକୁ ଭାରତ ବ୍ୟାକୁଳ |

ନିକଟ ଭବିଷ୍ୟତରେ ଭାରତ ଅଲିମ୍ପିକ୍ସ ଆୟୋଜନ କରିବାକୁ ଆଶା ରଖିଛି । ୨୦୧୮ ଏସିଆଡରେ ଭାରତ ଅଷ୍ଟମ ସ୍ଥାନରେ ରହିଥିଲା । କିନ୍ତୁ ଭାରତ ହାଙ୍ଗଝୋରେ ପଦକ ତାଲିକାର ଆହୁରି ଉପରକୁ ଉଠିବାକୁ ଚେଷ୍ଟା କରିବ।

୧୯୮୬ ସିଓଲ୍ ସଂସ୍କରଣ ଠାରୁ ଭାରତ ପଦକ ତାଲିକାରେ ଶୀର୍ଷ ପାଞ୍ଚରେ ରହିପାରି ନାହିଁ | ଏବଂ ଏଥର ଭାରତର ‘କ୍ୟାଚ୍ ଲାଇନ୍’ ହେଉଛି ‘ଇସ୍ ବାର୍, ସୌ ପାର୍’ ଅର୍ଥାତ୍ ଏଥର ୧୦୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟ ରହିଛି |

ଯଦିଓ ୧୦୦ ପଦକ ସମ୍ଭବ ହୋଇନପାରେ, ଭାରତ ଗତ ସଂସ୍କରଣ ଅପେକ୍ଷା ଅଧିକ ପଦକ ଜିତିବାକୁ ଚାହିଁବ । ଆଥଲେଟିକ୍ସ ପୁଣିଥରେ ସର୍ବାଧିକ ପଦକ ଆସିବ ବୋଲି ଆଶା କରାଯାଉଛି | ଗତ ଥର ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଖେଳାଳିମାନେ ୨୦ ପଦକ ଜିତିଥିଲେ । ଏଥର ସେମାନେ ୨୫ଟି ପଦକ ଜିତିବେ ବୋଲି ଆଶା କରାଯାଉଛି |

ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ପାଞ୍ଚ ଜଣ ଅଲିମ୍ପିକ୍ ପଦକ ବିଜେତା ଅଛନ୍ତି, ଯାହାର ନେତୃତ୍ୱ ନେଉଛନ୍ତି ଜାଭେଲିନ୍ ସୁପରଷ୍ଟାର ନୀରଜ ଚୋପ୍ରା । ସେ ମଧ୍ୟ ତାଙ୍କ ଟାଇଟଲ୍ ବଜାୟ ରଖିବାକୁ ଚାହିଁବେ।

୨୦୧୮ ସଂସ୍କରଣର ଟ୍ରାକ ଆଣ୍ଡ୍ ଫିଲ୍ମରେ ୧୬ଟି ସ୍ୱର୍ଣ୍ଣ ପଦକକୁ ଭାରତ ଏଥର ଟପିବ ବୋଲି ଆଶା ରହିଛି। ନୀରଜଙ୍କ ବ୍ୟତୀତ ଭାରତୀୟ ଦଳରେ ଥିବା ଅନ୍ୟ ଚାରି ଅଲିମ୍ପିକ୍ ପଦକ ବିଜେତା ହେଉଛନ୍ତି ଭାରୋତ୍ତୋଳକ ମୀରାବାଇ ଚାନୁ, ବ୍ୟାଡମିଣ୍ଟନ୍ ଷ୍ଟାର ପିଭି ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ ଏବଂ ବକ୍ସର ଲଭଲିନା ବୋର୍ଗୋହେଁ।

ଶନିବାର ଉଦଘାଟନୀ ସମାରୋହରେ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂଙ୍କ ଓ ଲଭଲିନା ଭାରତର ପତାକା ବାହକ ହେବେ ।

୨୦୧୮ ସଂସ୍କରଣରେ ଭାରତ ୮ଟି ସ୍ୱର୍ଣ୍ଣ ପଦକ ଜିତିଥିଲା । ଯଦିଓ ସେହି ପ୍ରଦର୍ଶନର ପୁନରାବୃତ୍ତି କରିବା ଏଥର କଷ୍ଟକର ହୋଇପାରେ, ତେବେ ହକି(ପୁରୁଷ ଓ‌ ମହିଳା), ଚେସ୍, କବାଡି (ପୁରୁଷ ଓ ମହିଳା) ଓ ସୁଟିଂରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ଆଶା ରହିଛି ।

ଚୀନ୍ କୋଭିଡ୍ ମହାମାରୀର ଭୟାବହତାରୁ ମୁକୁଳି ବିଶ୍ୱର ସର୍ବବୃହତ ବହୁକ୍ରୀଡ଼ା ଇଭେଣ୍ଟ ଆୟୋଜନ କରୁଛି । ଏହା ଇତିହାସରେ ସବୁଠାରୁ ବଡ଼ ସ୍ପୋର୍ଟିଂ ଇଭେଣ୍ଟ ହେବ | ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଲିମ୍ପିକ୍ସ ହେଉଛି ବିଶ୍ୱର ସର୍ବୋଚ୍ଚ ବହୁକ୍ରୀଡ଼ା ଇଭେଣ୍ଟ, ତେବେ ଏସୀୟ କ୍ରୀଡ଼ାରେ ସବୁଠୁ ଅଧିକ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିଥାନ୍ତି। ହାଙ୍ଗଝୋରେ ଏଥର ୧୨,୦୦୦ ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ |

ଦୁଇ ବର୍ଷ ପୂର୍ବେ ଟୋକିଓ ଅଲିମ୍ପିକ୍ସରେ ୧୧,୦୦୦ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ୧୦,୫୦୦ ଖେଳାଳି ସାମିଲ ହେବେ ବୋଲି ଆଶା କରାଯାଉଛି |ଗତ ଏସିଆଡରେ ୧୧,୦୦୦ ରୁ ଅଧିକ ଆଥଲେଟ୍ ଖେଳିଥିଲେ |

ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୧୯ତମ ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୨୦୨୨ରେ ଆୟୋଜିତ ହେବାର ଥିଲା । କିନ୍ତୁ ଚୀନରେ କୋଭିଡ-୧୯ ସ୍ଥିତି ଯୋଗୁଁ ଏହାକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା ।

ଏସିଆର ୪୫ଟି ଦେଶ ୪୦ଟି କ୍ରୀଡ଼ା ଓ ୬୧ଟି ଇଭେଣ୍ଟରେ ୪୮୧ଟି ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ | ଏହି ସଂସ୍କରଣରେ ଇ-ସ୍ପୋର୍ଟସ ଡେବ୍ୟୁ କରୁଛି | ଫୁଟବଲ ବ୍ୟତୀତ ଭଲିବଲ, କ୍ରିକେଟ୍, ରୋଇଂ, ନୌଚାଳନା ଏବଂ ଆଧୁନିକ ପେଣ୍ଟାଥଲନ୍ ଭଳି କ୍ରୀଡ଼ା ଉଦଘାଟନୀ ସମାରୋହ ପୂର୍ବରୁ ଆରମ୍ଭ ହୋଇସାରିଛି। ହାଙ୍ଗଝୋ ଅଲିମ୍ପିକ୍ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ୧୯ତମ ଏସୀୟ କ୍ରୀଡ଼ାକୁ ଉଦଘାଟନ କରିବେ।

Comments are closed.