କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର ଆମର ଅଛି: ତାଲିବାନ ମୁଖପାତ୍ର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ କାଶ୍ମୀର ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛି। ବିବିସି ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ କାଶ୍ମୀରର ମୁସଲମାନମାନଙ୍କ ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିବାର ଆମର ଅଧିକାର ଅଛି। ବିଚ୍ଛିନ୍ନତାବାଦୀ ଏଜେଣ୍ଡାକୁ ଇନ୍ଧନ ଯୋଗାଇବା ପାଇଁ ପାକିସ୍ତାନ ତାଲିବାନକୁ ବ୍ୟବହାର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଜୁମ୍ କଲ୍ ମାଧ୍ୟମରେ ବିବିସି ସହ ବାର୍ତ୍ତାଳାପ ବେଳେ ସୁହେଲ ଶାହିନ୍ କହିଛନ୍ତି ଯେ ଜଣେ ମୁସଲମାନ ଭାବରେ ଭାରତର କାଶ୍ମୀର କିମ୍ବା ଅନ୍ୟ କୌଣସି ଦେଶରେ ମୁସଲମାନମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର ତାଲିବାନର ରହିଛି। ଆମେ ସ୍ୱର ଉତ୍ତୋଳନ କରିବୁ ଏବଂ କହିବୁ ମୁସଲମାନମାନେ ତୁମର ଲୋକ, ତୁମ ଦେଶର ନାଗରିକ | ତୁମର ଆଇନ୍ କାନୁନ୍ ଅନୁଯାୟୀ, ସେମାନେ ବି ଅନ୍ୟ ନାଗରିକଙ୍କ ଭଳି ସମାନ |

ଏହାପୂର୍ବରୁ ତାଲିବାନର ଅନ୍ୟ ଜଣେ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦ ଉପରେ କହିଥିଲେ ଯେ ଭାରତ ଏ ଦିଗରେ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ସେ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚିତ କାରଣ ଉଭୟ ପଡୋଶୀ ଏବଂ ସେମାନଙ୍କର ସ୍ୱାର୍ଥ ପରସ୍ପର ସହ ଜଡିତ।

Comments are closed.