ଝାଡ଼ଖଣ୍ଡ: ହେମନ୍ତ ସୋରେନଙ୍କ ଗାଦି ଯିବା ଥୟ, ପତ୍ନୀ କଳ୍ପନା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ !

ରାଞ୍ଚି: ଖଣି ଲିଜ୍ ସ୍କାମରେ ଫସିଥିବା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗାଦି ଯିବା ଥୟ। ସୂଚନାନୁସାରେ, ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ନିର୍ବାଚନ ଆୟୋଗ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଆବେଦନ ଉପରେ ସମସ୍ତ ପକ୍ଷକୁ ଶୁଣିବା ପରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଏକ ଚିଠି ପଠାଯାଇଛି। କିଛି ସମୟ ମଧ୍ୟରେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବ | ମୁଖ୍ୟମନ୍ତ୍ରୀ ସୋରେନ୍ ନିଜ ନାଁରେ ହିଁ ଖଣି ଲିଜ୍ ନେଇଥିବା ବିଜେପି ନେତା ରଘୁବୀର ଦାସ ଅଭିଯୋଗ କରିବା ପରେ ରାଜ୍ୟରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ଏହି ଦ୍ରୁତ ପରିବର୍ତ୍ତନଶୀଳ ରାଜନୈତିକ ସମୀକରଣ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ହଠାତ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବିଜେପିର ଗୋଡ୍ଡା ସାଂସଦ ଡଃ ନିଶିକାନ୍ତ ଦୁବେ ନିକଟରେ ଟୁଇଟ୍ କରି କହିଥିଲେ ଯେ ଝାଡ଼ଖଣ୍ଡରେ ‘ଭାଉଜ’ଙ୍କ ଅଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। ଏହା ପରେ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା ଯେ ସିଏମ ହେମନ୍ତ ସୋରେନ ୨୫ ବର୍ଷ ପରେ ବିହାରରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ପରି ଇତିହାସର ପୁନରାବୃତ୍ତି କରିବେ। ସେତେବେଳେ ଲାଲୁ ପ୍ରସାଦ ତାଙ୍କ ପତ୍ନୀ ରାବଡି ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ବର୍ତ୍ତମାନ ହେମନ୍ତ ସୋରେନ ସେଭଳି କରିବେ ବୋଲି ଆଲୋଚନା ହେଉଛି ।

ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି। ତଥାପି ସେ ଅନେକ ସାମାଜିକ କାର୍ଯ୍ୟକ୍ରମ ଏବଂ ପାରିବାରିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତି | ବିଶେଷ କରି ମହିଳା ଏବଂ ଶିଶୁଙ୍କ ସହ ଜଡ଼ିତ ଅନେକ କାର୍ଯ୍ୟକ୍ରମରେ କଳ୍ପନା ସୋରେନ୍ ଅଂଶଗ୍ରହଣ କରିଆସୁଛନ୍ତି । ଏ ପର୍ଯ୍ୟନ୍ତ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି ।

ଓଡ଼ିଶାର ମୟୂରଭଞ୍ଜର ବାସିନ୍ଦା କଳ୍ପନା ସୋରେନ୍ ୭ ଫେବୃଆରୀ ୨୦୦୬ରେ ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ । ତାଙ୍କ ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ପରିବାର କିନ୍ତୁ ମୟୂରଭଞ୍ଜରେ ରୁହନ୍ତି। କିନ୍ତୁ ସେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପରିବାରର ରାଞ୍ଚି ସହିତ ଦୀର୍ଘ ଦିନର ସମ୍ପର୍କ ରହିଛି।

Comments are closed.