ବୀରଭୂମ ହିଂସା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: କଲିକତା ହାଇକୋର୍ଟ ଶୁକ୍ରବାର ବୀରଭୂମ ହିଂସା ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ଏହି ସପ୍ତାହରେ ହିଂସାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲା ସହ ଜଡିତ ସମସ୍ତ କାଗଜପତ୍ର ଏବଂ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) କୁ ହାଇକୋର୍ଟ କହିଛନ୍ତି।

ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ ଏବଂ ଜଷ୍ଟିସ୍ ଆର ଭରଦ୍ୱାଜଙ୍କ ଏକ ଡିଭିଜନ୍ ବେଞ୍ଚ ଏପ୍ରିଲ୍ ୭ ସୁଦ୍ଧା ଏହି ମାମଲାର ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛି। ସେହି ଦିନ ଶୁଣାଣିର ପରବର୍ତ୍ତୀ ତାରିଖ ସ୍ଥିର କରାଯାଇଛି। ହାଇକୋର୍ଟ କହିଛନ୍ତି ଯେ ନ୍ୟାୟକୁ ଦୃଷ୍ଟିରେ ରଖି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ବୀରଭୂମ ଜିଲ୍ଲାର ବୋଗୁଟି ଗ୍ରାମରେ ତୃଣମୂଳ କଂଗ୍ରେସ ପଞ୍ଚାୟତ ନେତାଙ୍କ ହତ୍ୟା ପରେ ହିଂସା ବ୍ୟାପି ଯାଇଥିଲା । ଦୁର୍ବୃତ୍ତମାନେ କିଛି ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଦୁଇ ଶିଶୁ ଓ ତିନି ମହିଳାଙ୍କ ସମେତ ଆଠ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଲିକତା ହାଇକୋର୍ଟ ଏହି ମାମଲାରେ ସ୍ବତଃ ହସ୍ତକ୍ଷେପ କରି ଶୁକ୍ରବାର ଏହି ହିଂସାକାଣ୍ଡର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି, ସିବିଆଇ କିମ୍ବା ଏନଆଇଏ ଦ୍ୱାରା କରାଯାଇଥିବା ବୀରଭୂମ ହିଂସା ଘଟଣାର ତଦନ୍ତ ପାଇଁ କୋର୍ଟଙ୍କ ଦ୍ୱାରା କିଛି ପିଏଲ ମଧ୍ୟ ଦାଖଲ କରାଯାଇଥିଲା, ଯାହା ଆଜି ମଧ୍ୟ ହାଇକୋର୍ଟଙ୍କ ଦ୍ୱାରା ଶୁଣାଣି ହୋଇଥିଲା।

Comments are closed.