‘ତାଜମହଲ ଉପରେ ପ୍ରଥମେ ଏମ୍ଏ, ପିଏଚଡି କର..’, ୨୨ଟି କୋଠରୀ ଖୋଲିବାକୁ ଆବେଦନ କରିଥିବା ବିଜେପି ନେତାଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଆଗ୍ରା ସ୍ଥିତ ତାଜମହଲ ପରିସରରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବା ପାଇଁ ଆବେଦନ କରିଥିବା ଜଣେ ବିଜେପି ନେତାଙ୍କୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ଭର୍ତ୍ସନା କରିଛନ୍ତି । ଜଷ୍ଟିସ ଡି.କେ ଉପାଧ୍ୟାୟ ଆବେଦନକାରୀଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ଜନସ୍ୱାର୍ଥ ମାମଲା (ପିଏଲ) ବ୍ୟବସ୍ଥାର ଅପବ୍ୟବହାର କର ନାହିଁ । ଆସନ୍ତାକାଲି ତୁମେ ଆସିବ ଏବଂ କହିବ ଯେ ମାନ୍ୟବର ବିଚାରପତିଙ୍କ ଚାମ୍ବରକୁ ଯିବାକୁ ଅନୁମତି ଦିଆଯାଉ ।

ଉତ୍ତର ପ୍ରଦେଶ ଅଯୋଧ୍ୟାର ଜଣେ ବିଜେପି ନେତା ରଜନୀଶ ଶର୍ମା ନିଜ ଆବେଦନରେ କହିଥିଲେ ଯେ ତାଜମହଲ ସମ୍ପର୍କରେ ଇତିହାସ ବହିରେ ଭୁଲ୍ ତଥ୍ୟ ଦିଆଯାଇଛି । ସତ୍ୟତା ଜାଣିବା ପାଇଁ ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀକୁ ଖୋଲିବାକୁ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ(ଏଏସ୍ଆଇ)କୁ ଅନୁମତି ଦିଆଯାଉ ।

ଜଷ୍ଟିସ ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କ ଏକ ବେଞ୍ଚ୍ ତାଜମହଲର ୨୨ଟି କୋଠରୀ ଖୋଲିବାକୁ ଆବେଦନର ଶୁଣାଣି କରିଥିଲେ। ହାଇକୋର୍ଟ ଆବେଦନକାରୀଙ୍କୁ କହିଥିଲେ ଯେ ତୁମେ କ’ଣ ଭାବୁଛ ତାଜମହଲ ଶାହ ଜାହାଁଙ୍କ ଦ୍ୱାରା ନିର୍ମିତ ହୋଇନାହିଁ? ଆମେ କଣ କିଏ ଏହାକୁ ନିର୍ମାଣ କରିଛି କିମ୍ବା ତାଜମହଲର ବୟସ କ’ଣ ସେନେଇ ରାୟ ପ୍ରକାଶ କରିବାକୁ ଏଠାକୁ ଆସିଛୁ?

ହାଇକୋର୍ଟ ଆବେଦନକାରୀଙ୍କୁ କଡ଼ା ଭାଷାରେ କହିଥିଲେ ଯେ ଯେଉଁ ବିଷୟ ଉପରେ ତୁମେ କିଛି ଜାଣିନ, ସେହି ବିଷୟ ଉପରେ ଏମ୍ଏ ଓ ପିଏଚଡି କର । ଯଦି କୌଣସି ଶିକ୍ଷାନୁଷ୍ଠାନ ଆପଣଙ୍କୁ ରିସର୍ଚ୍ଚ କରିବାକୁ ଅନୁମତି ନ ଦିଏ, ତେବେ ଆମ ପାଖକୁ ଆସ। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆମେ ଏହି ପିଟିସନର ଶୁଣାଣି ସ୍ଥଗିତ ରଖିବୁ ନାହିଁ ।

Comments are closed.