କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କ ‘ଜନ ଆଶୀର୍ବାଦ ଯାତ୍ରା’ ପାଇଁ ଘୋଡ଼ା ଦେହରେ ଅଙ୍କାଗଲା ବିଜେପି ପତାକା, ପଶୁଙ୍କ ପ୍ରତି ନିର୍ଦ୍ଦୟତା ନେଇ ମାମଲା ରୁଜୁ

ଇନ୍ଦୋର: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ “ଜନ ଆଶୀର୍ବାଦ ଯାତ୍ରା” ପାଇଁ ବ୍ୟବହୃତ ଏକ ଘୋଡ଼ାର ଦେହରେ ବିଜେପି ପତାକା ଅଙ୍କାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପଶୁଙ୍କ ପ୍ରତି ନିର୍ଦ୍ଦୟତା ଅଭିଯୋଗରେ ପୋଲିସ ଘୋଡାର ମାଲିକଙ୍କୁ ଖୋଜୁଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଗତ ଗୁରୁବାର ସହରରେ ସିନ୍ଧିଆଙ୍କ “ଜନ ଆଶୀର୍ବାଦ ଯାତ୍ରା” ବେଳେ ଏହି ଘୋଡ଼ା ଅଣାଯାଇଥିଲା ଏବଂ ତା’ର ଦେହସାରା ଗୈରିକ ରଙ୍ଗ ବୋଳାଯାଇ ବିଜେପି ପତାକା ଅଙ୍କା ଯାଇଥିଲା । ଏହାଛଡ଼ା ଏହି ଘୋଡାର ଶରୀରରେ ଇଂରାଜୀରେ “ବିଜେପି” ଲେଖାଯାଇଥିଲା ଏବଂ ଦଳର ନିର୍ବାଚନ ପ୍ରତୀକ ପଦ୍ମ ଫୁଲ ମଧ୍ୟ ଏହାର ଚର୍ମରେ ରଙ୍ଗରେ ଖୋଦିତ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ଘୋଡା ତାଙ୍କ ଯାତ୍ରା ସମୟରେ ସିନ୍ଧିଆଙ୍କ “ରଥ” (ସ୍ୱତନ୍ତ୍ର ଭାବେ ତିଆରି ଚାରି ଚକିଆ ଯାନ) ପାଖେ ପାଖେ ଦେଖିବାକୁ ମିଳିଥିଲା | ଅଧିକାରୀମାନେ କହିଛନ୍ତି ଯେ ଏହି ଘୋଡାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା “ପିପୁଲ୍ ଫର ଆନିମଲ୍ସ” ର ସ୍ଥାନୀୟ ଶାଖାର ସଭାପତି ପ୍ରିୟଙ୍କା ଜୈନ ସାନୋଗିତାଗଞ୍ଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସେ ପଶୁଙ୍କ ପ୍ରତି ନିର୍ଦ୍ଦୟତା ନିବାରଣ ଆଇନ ଅଧୀନରେ ଏଫ୍ଆଇଆର୍ ରୁଜୁ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବିଜେପି ସାଂସଦ ମେନକା ଗାନ୍ଧୀ ଏହି ଅନୁଷ୍ଠାନର ମୁଖ୍ୟ ଅଟନ୍ତି ।

Comments are closed.