ଜିଲ୍ଲା ମାଜିଷ୍ଟ୍ରେଟଙ୍କ ହତ୍ୟାକାରୀଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ଆଇଏଏସ୍ ସଂଘର କଡ଼ା ବିରୋଧ

ପାଟନା: ଆଇଏଏସ୍ ଅଧିକାରୀ ଜି କୃଷ୍ଣୈୟା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ଛାଡ଼ିବା ନିଷ୍ପତ୍ତି ଉପରେ ଆଇଏଏସ୍ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସଂଘ ବିହାର ସରକାରଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି ।

ଆଇଏଏସ୍ ସଂଘ ଟୁଇଟ୍ କରି ଆନନ୍ଦ ମୋହନଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଅତ୍ୟନ୍ତ ନିରାଶାଜନକ ବୋଲି କହିଛନ୍ତି। ସେ (ଆନନ୍ଦ ମୋହନ) ଆଇଏଏସ୍ ଅଧିକାରୀ ଜି କୃଷ୍ଣୈୟାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏଭଳି ସ୍ଥଳେ ତାଙ୍କୁ ଛାଡ଼ିଦେବା ପରିତାପର ବିଷୟ | ବିହାର ସରକାର ଯଥାଶୀଘ୍ର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ଉଚିତ୍। ଯଦି ଏହା ନହୁଏ ତେବେ ଏହା ନ୍ୟାୟରୁ ବଞ୍ଚିତ କରାଯିବା ସଦୃଶ ହେବ |

ଆଇଏଏସ୍ ସଂଘ କହିଛି ଯେ, ଏଭଳି ନିଷ୍ପତ୍ତି କେବଳ ସରକାରୀ କର୍ମଚାରୀଙ୍କ ମନୋବଳ ହ୍ରାସ କରିବ। ଆମେ ରାଜ୍ୟ ସରକାରଙ୍କୁ ଏହି ନିଷ୍ପତ୍ତିର ଯଥାଶୀଘ୍ର ପୁନର୍ବିଚାର କରିବାକୁ ଅନୁରୋଧ କରୁଛୁ।

ଉଲ୍ଲେଖଯୋଗ୍ୟ ଯେ, ତେଲେଙ୍ଗାନାରେ ଜନ୍ମିତ ଆଇଏଏସ୍ ଅଧିକାରୀ ଜି କୃଷ୍ଣୈୟା ଅନୁସୂଚିତ ଜାତିର ଥିଲେ। ସେ ବିହାରର ଗୋପାଳଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟ୍ ଥିଲେ । ୧୯୯୪ ମସିହାରେ ମୁଜାଫରପୁର ଜିଲ୍ଲା ଦେଇ ଯାଉଥିବା ସମୟରେ ଏକ ଭିଡ଼ ତାଙ୍କୁ ଘେରିଯାଇ ପିଟି ପିଟି ହତ୍ୟା କରିଥିଲା।

ହତ୍ୟା ସମୟରେ ଆନନ୍ଦ ମୋହନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏହି ହତ୍ୟା ମାମଲାରେ ଆନନ୍ଦ ମୋହନଙ୍କୁ ପ୍ରଥମେ ମୃତ୍ୟୁ ଦଣ୍ଡ ମିଳିଥିଲା । ହେଲେ ପରେ ହାଇକୋର୍ଟ ତାଙ୍କ ଦଣ୍ଡ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ ।

ନୀତୀଶ ସରକାର ବିହର ଜେଲ୍ ଆଇନରେ ସଂଶୋଧନ କରିଛନ୍ତି । ଫଳରେ ଆନନ୍ଦ ମୋହନଙ୍କ ସହ କିଛି ଅପରାଧୀ ଜେଲରୁ ମୁକୁଳିଛନ୍ତି । ନୀତିଶ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ସମାଲୋଚନା କରିଛନ୍ତି ।

Comments are closed.