ଷ୍ଟାଡିୟମ୍‌ରେ କୁକୁର ବୁଲାଇବା ମହଙ୍ଗା ପଡ଼ିଲା, ଆଇଏଏସ୍ ଦମ୍ପତିଙ୍କୁ ବଦଳି

ନୂଆଦିଲ୍ଲୀ: କୁକୁର ବୁଲାଇବା ଲାଗି ଷ୍ଟାଡିୟମ୍‌ରୁ ଖେଳାଳି ଏବଂ କୋଚ୍‌ମାନଙ୍କୁ ଖାଲି କରିବା ଦିଲ୍ଲୀର ଏକ ଆଇଏଏସ୍ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି । ଏ ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ଦିଲ୍ଲୀ ସରକାରଙ୍କ ପ୍ରଧାନ ସଚିବ (ରାଜସ୍ବ) ସଂଜୀବ ଖିରଓ୍ବାର୍ ଓ ତାଙ୍କ ଆଇଏଏସ୍ ପତ୍ନୀ ରିଙ୍କୁ ଦୁଗ୍ଗାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଉଭୟଙ୍କୁ ଦିଲ୍ଲୀ ବାହାରକୁ ବଦଳି କରି ଦିଆଯାଇଛି । ଆଇଏଏସ୍ ସଂଜୀବଙ୍କୁ ଲଦାଖ ବଦଳି କରାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଯାଇଛି।

ଏହି ଆଇଏଏସ୍ ଦମ୍ପତି ନିଜ କୁକୁର ବୁଲାଇବା ପାଇଁ ପ୍ରତିଦିନ ସନ୍ଧ୍ୟା ୭ଟା ପରେ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମକୁ ଆସନ୍ତି । ଏଥିପାଇଁ ୭ଟା ପୂର୍ବରୁ ଷ୍ଟାଡିୟମ ଖାଲି କରିବାକୁ ଆଥଲେଟ୍ ମାନଙ୍କୁ ବାଧ୍ୟ କରାଯାଉଥିଲା ।

ଏହି ଷ୍ଟାଡିୟମରେ ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ଖେଳାଳିମାନେ ଅଭ୍ୟାସ କରୁଥିଲେ। କିନ୍ତୁ ଗତ କିଛି ମାସ ଧରି ସେମାନଙ୍କୁ ସନ୍ଧ୍ୟା ୭ଟା ପୂର୍ବରୁ ଷ୍ଟାଡିୟମ୍ ଛାଡ଼ିବାକୁ କୁହାଯାଉଥିଲା। ଏହାର କାରଣ ହେଲା ଆଇଏଏସ୍ ବାବୁ ତାଙ୍କ କୁକୁର ସହ ପଡ଼ିଆରେ ଚାଲିବେ। ଆଇଏଏସ୍‌ଙ୍କ ଏହି ସଉକ୍ ପାଇଁ ଖେଳାଳିଙ୍କ ତାଲିମରେ ବାଧା ଉପୁଜିଥିବା ଅଭିଯୋଗ ହୋଇଆସୁଥିଲା। ତେବେ ଆଇଏଏସ୍ ସଂଜୀବ କହିଥିଲେ ଯେ ସେ ମଝି ମଝିରେ ତ୍ୟାଗରାଜ ଷ୍ଟାଡିୟମକୁ ନିଜ କୁକୁର ସହ ଓ୍ବାକ୍ ପାଇଁ ଯାଆନ୍ତି କିନ୍ତୁ ଏଥିପାଇଁ ଖେଳାଳିଙ୍କ ଟ୍ରେନିଂ ବାଧାପ୍ରାପ୍ତ ହୋଇନି ।

ଏ ସମ୍ପର୍କରେ ଖବର ପ୍ରସାରଣ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରେ କେନ୍ଦ୍ର ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସଂଜୀବ ଖିରଓ୍ବାର୍ ଓ ତାଙ୍କ ଆଇଏଏସ୍ ପତ୍ନୀ ରିଙ୍କୁ ଦୁଗ୍ଗାଙ୍କୁ ବଦଳି କରିଛି । ତ୍ୟାଗରାଜ ଷ୍ଟାଡିୟମ ବିବାଦ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏଣିକି ସବୁ ଷ୍ଟାଡିୟମ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଘୋଷଣା କରିଥିଲେ।

Comments are closed.