ଆଇସିସି ଲାଗୁ କଲା ‘ଷ୍ଟପ୍ କ୍ଲକ୍’ ନିୟମ, ଏହି ଭୁଲ୍ କଲେ ୫ ରନ୍ ପେନାଲ୍ଟି

ଦୁବାଇ: ଓଭର ମଧ୍ୟରେ ସମୟକୁ ସୀମିତ ରଖିବା ପାଇଁ ଆଇସିସି ‘ଷ୍ଟପ୍ କ୍ଲକ୍’ ନିୟମ ଆରମ୍ଭ କରିଛି। ଏହି ନିୟମ ପରୀକ୍ଷାମୂଳକ ଭାବେ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟ ସିରିଜରେ ଲାଗୁ ହେବ। ‘ଷ୍ଟପ୍ କ୍ଲକ୍’ ନିୟମ ଓଭର ମଧ୍ୟରେ ନିଆଯାଉଥିବା ସମୟକୁ ସୀମିତ କରିବ। ଏହି ନିୟମ ଅନୁଯାୟୀ ବୋଲିଂ ଦଳକୁ ପୂର୍ବ ଓଭର ଶେଷ ହେବାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭରର ପ୍ରଥମ ବଲ୍ କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ।

ଯଦି ଇନିଂସରେ ତୃତୀୟ ଥର ଏପରି ଭୁଲ୍ ହୁଏ (ଦୁଇଟି ଚେତାବନୀ ପରେ) ଫିଲ୍ଡିଂ ଦଳ ବିରୋଧରେ ୫ ରନ୍ ପେନାଲ୍ଟି ଲାଗିବ। ଆଇସିସିର କ୍ରିକେଟ୍ ଜେନେରାଲ ମ୍ୟାନେଜର ୱାସିମ ଖାନ କହିଛନ୍ତି, ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଖେଳର ଗତି ବଢ଼ାଇବା ପାଇଁ ଏହି ନିୟମ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ ।

ଷ୍ଟପ୍ କ୍ଲକ୍ ଟ୍ରାଏଲ ପୂର୍ବରୁ ହ୍ବାଇଟ୍ ବଲ୍ ଅନ୍ତର୍ଜାତୀୟ କ୍ରିକେଟରେ ୨୦୨୨ ମସିହାରେ ମଧ୍ୟ ସମୟ ଅପଚୟ ରୋକିବା ପାଇଁ ଏକ ନିୟମ କାର୍ଯ୍ୟକାରୀ ହୋଇଥିଲା । ଉକ୍ତ ନିୟମ ଅନୁଯାୟୀ ଯଦି ଫିଲ୍ଡିଂ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ଓଭରର ପ୍ରଥମ ବଲ୍ ବୋଲିଂ କରିବା ସ୍ଥିତିରେ ନଥାଏ, ତେବେ ସର୍କଲ ବାହାରେ କେବଳ ଚାରି ଜଣ ଫିଲ୍ଡରଙ୍କୁ ରଖିବାକୁ ଅନୁମତି ଦିଆଯିବ । ୱାସିମ ଖାନ କହିଛନ୍ତି, ଟ୍ରାଏଲ ଶେଷ ହେବା ପରେ ଷ୍ଟପ କ୍ଲକ୍ ନିୟମର ଫଳାଫଳ ଆକଳନ କରାଯିବ।

କିପରି କାମ କରିବ ‘ଷ୍ଟପ୍ କ୍ଲକ୍’ ନିୟମ ?

ପୂର୍ବ ଓଭର ଶେଷ ହେବା ପରେ ପରବର୍ତ୍ତୀ ଓଭରକୁ ୬୦ ସେକେଣ୍ଡ ମଧ୍ୟରେ ଆରମ୍ଭ କରିବାକୁ ପଡ଼ିବ । ଯଦି ବୋଲର ପରବର୍ତ୍ତୀ ଓଭର ୬୦ ସେକେଣ୍ଡ ମଧ୍ୟରେ ଆରମ୍ଭ କରିବାରେ ସକ୍ଷମ ନୁହଁନ୍ତି, ତେବେ ପେନାଲ୍ଟି ସ୍ବରୂପ ବ୍ୟାଟିଂ ଦଳକୁ ୫ ରନ୍ ମିଳିବ । ଏହାଛଡ଼ା, ଏହି ନିୟମ ବ୍ୟାଟ୍ସମ୍ୟାନଙ୍କ ପାଇଁ ମଧ୍ୟ ଲାଗୁ ହେବ | ଯଦି ୱିକେଟ୍ ପଡ଼ିବା ପରେ କିମ୍ବା ରିଟାୟର ହର୍ଟ ପରେ ନୂଆ ବ୍ୟାଟ୍ସମ୍ୟାନ୍ ଦୁଇ ମିନିଟ୍ ମଧ୍ୟରେ କ୍ରିଜକୁ ଆସି ପ୍ରଥମ ବଲ୍ ନ ଖେଳନ୍ତି, ତେବେ ବ୍ୟାଟ୍ସମ୍ୟାନଙ୍କୁ “ଟାଇମ୍ ଆଉଟ୍” ଦିଆଯିବ । ଏହି ନିୟମ ଡିସେମ୍ବର ୧୨ରୁ ଲାଗୁ ହେବ |

ଉଲ୍ଲେଖଯୋଗ୍ୟ, ଦିନିକିଆ ବିଶ୍ୱକପ ୨୦୨୩ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମାଥ୍ୟୁସଙ୍କୁ ‘ଟାଇମ ଆଉଟ୍’ ଦିଆଯିବା ନେଇ ବିବାଦ ସୃଷ୍ଟି ହୋଇଥିଲା। ଶ୍ରୀଲଙ୍କା କ୍ରିକେଟ୍ ଏଥିପାଇଁ ଅମ୍ପାୟାରଙ୍କୁ ଦାୟୀ କରିଥିଲା। ଏହି ବିବାଦ ପରେ ଆଇସିସି କ୍ରିକେଟ୍ ରେ ‘ଷ୍ଟପ୍ କ୍ଲକ୍’ ନିୟମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।

Comments are closed.