ପିଚ୍ ବଦଳ ଅଭିଯୋଗ ମହଙ୍ଗା ପଡ଼ିଲା, ଫାଇନାଲ୍ ପୂର୍ବରୁ ଘରକୁ ଫେରିଲେ ଆଇସିସି ପିଚ୍ ପରାମର୍ଶଦାତା ଆଟକିନସନ୍, ବିସିସିଆଇ କ୍ୟୁରେଟର୍ ନେଲେ ଦାୟିତ୍ଵ

ଅହମ୍ମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ ଫାଇନାଲର ୪୮ ଘଣ୍ଟା ପୂର୍ବରୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପିଚ୍ ପ୍ରସ୍ତୁତି ବେଳେ ଆଇସିସି ପିଚ୍ ପରାମର୍ଶଦାତା ଆଣ୍ଡି ଆଟକିନସନଙ୍କ ଦେଖା ମିଳିନାହିଁ । ଫଳରେ ତାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନ୍ୟୁଜିଲ୍ୟାଣ୍ଡର ଆଟକିନସନ୍ ଘରକୁ ଫେରିଯାଇଥିବା ଜଣାପଡ଼ିଛି ।

ବିସିସିଆଇର ଏକ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ମିଡିଆକୁ କହିଛନ୍ତି, ଆଣ୍ଡିଙ୍କ କାମ ଶେଷ ହୋଇଛି । ସେ ଘରକୁ ଫେରିଛନ୍ତି। ଯେଉଁଠି କୌଣସି ବିବାଦ ନାହିଁ ସେଠାରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ନାହିଁ | ଏହା କୋଉଠି ଲେଖା ହୋଇନାହିଁ ଯେ ଫାଇନାଲ ପୂର୍ବରୁ ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍)ର ପିଚ୍ ପରାମର୍ଶଦାତା ଉପସ୍ଥିତ ରହିବା ଦରକାର।”

ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ପାଇଁ ପିଚ୍ ବଦଳା ଯାଇଥିବା ଅଭିଯୋଗ କରି ବିବାଦ ସୃଷ୍ଟି କରିଥିଲେ ଆଟକିନସନ୍ । ଉକ୍ତ ସେମିଫାଇନାଲ ଏକ ନୂଆ ପିଚରେ ଖେଳାଯିବାକୁ ସ୍ଥିର ହୋଇଥିଲା । କିନ୍ତୁ ମ୍ୟାଚର କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳ ମ୍ୟାନେଜମେଣ୍ଟର ଅନୁରୋଧ କ୍ରମେ ଓ୍ବାଙ୍ଖେଡେ ଷ୍ଟାଡିୟମ କର୍ତ୍ତୃପକ୍ଷ ପିଚ୍ ବଦଳାଇଥିଲେ ବୋ‌ଲି ଆଟକିନସନ୍ ଦାବି କରିଥିଲେ ‌। ଏଭଳି ଅଭିଯୋଗ ପରେ ବିସିସିଆଇ ଅଧିକାରୀମାନେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଆଟକିନସନଙ୍କ ଅଭିଯୋଗ ପରେ ଆଇସିସି ସ୍ପଷ୍ଟୀକରଣ ଜାରି କରିଥିଲା । ଆଇସିସି କହିଥିଲା ନୂଆ ପିଚ୍‌ରେ ନକ୍ଆଉଟ୍ ମ୍ୟାଚ୍ ଖେଳାଯିବା ଆବଶ୍ୟକ ବୋଲି କୌଣସି ନିୟମ ନାହିଁ । ପିଚ୍ ବଦଳାଇବା ପୂର୍ବରୁ ଆଟକିନସନଙ୍କୁ ସୂଚନା ଦିଆଯାଇଥିଲା।

ଶୁକ୍ରବାର ବିସିସିଆଇର ଦୁଇଜଣ ବରିଷ୍ଠ ଗ୍ରାଉଣ୍ଡମ୍ୟାନ୍ ଆଶିଷ ଭୋମିକ୍ ଏବଂ ତାପଶ ଚାଟାର୍ଜୀ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ଘରୋଇ କ୍ରିକେଟର ବିସିସିଆଇ ଜେନେରାଲ୍ ମ୍ୟାନେଜର ଆବେ କୁରୁଭିଲା ରବିବାର ଫାଇନାଲ୍ ପାଇଁ ପିଚ୍ ପ୍ରସ୍ତୁତି ତଦାରଖ କରିଥିଲେ । ପିଚ୍ ପ୍ରସ୍ତୁତି ପାଇଁ ଭାରି ରୋଲର ବ୍ୟବହାର କରାଯାଇଥିଲା।

ଫାଇନାଲ ଏକ ନୂଆ କିମ୍ବା ବ୍ୟବହୃତ (ପୁରୁଣା) ପିଚରେ ଖେଳାଯିବ କି ନାହିଁ ତାହା ନିଶ୍ଚିତ ହୋଇପାରି ନାହିଁ |

ରାଜ୍ୟ କ୍ରିକେଟ୍ ସଂଘର ଜଣେ କ୍ୟୁରେଟର କହିଛନ୍ତି, “ଯଦି କଳା ମାଟି ପିଚରେ ଭାରି ରୋଲର ବ୍ୟବହାର କରାଯାଏ, ତେବେ ଏକ ସ୍ଲୋ ବ୍ୟାଟିଂ ପିଚ୍ ତିଆରି ହେବା ସମ୍ଭାବନା ରହିଛି । ଯେଉଁଥିରେ ବଡ଼ ସ୍କୋର ହୋଇପାରିବ ‌। କିନ୍ତୁ ବ୍ୟାଟ୍ସମ୍ୟାନ ଲଗାତାର ହିଟ୍ କରିପାରିବେ ନାହିଁ | ଏଭଳି ପିଚରେ ଦ୍ୱିତୀୟ ବ୍ୟାଟିଂ କରିବା ଦଳକୁ କଷ୍ଟ ହୋଇପାରେ । ୩୧୫ ରନ୍ ସ୍କୋରକୁ ଏଭଳି ପିଚରେ ଡିଫେଣ୍ଡ କରାଯାଇପାରିବ।

ଗ୍ରାଣ୍ଡ ଫାଇନାଲ୍ ପାଇଁ ଶୁକ୍ରବାର କେଏଲ୍ ରାହୁଲ ଏବଂ ରବୀନ୍ଦ୍ର ଜାଡେଜା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହ କଡ଼ା ନେଟ୍ ଅଭ୍ୟାସ କରିଥିଲେ । ରିଜର୍ଭ ଖେଳାଳି ଇଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ସବୁଥର ପରି ରୋହିତ ଓ ଦ୍ରାବିଡ ପିଚ୍ ନିରୀକ୍ଷଣ କରିବାକୁ ବହୁ ସମୟ କଟାଇଥିଲେ । ଉଭୟ କ୍ୟୁରେଟରଙ୍କ ସହ ମଧ୍ୟ କଥା ହୋଇଥିଲେ।

Comments are closed.