ଜୁନରୁ ଦିନିକିଆ ଓ ଟି-୨୦ରେ ଲାଗୁ ହେବ ‘ଷ୍ଟପ୍ କ୍ଲକ୍’ ନିୟମ

ଦୁବାଇ: ସମ୍ପ୍ରତି‌ ପରୀକ୍ଷାମୂଳକ ଭାବେ ଚାଲିଥିବା ‘ଷ୍ଟପ୍ କ୍ଲକ୍’ ନିୟମକୁ ଆଇସିସି ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରୁ ସମସ୍ତ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ସ୍ଥାୟୀ ଭାବେ ଲାଗୁ କରିବ । ଆଇସିସି ଡିସେମ୍ବର ୨୦୨୩ରେ ‘ଷ୍ଟପ୍ କ୍ଲକ୍’ ନିୟମ ପରୀକ୍ଷା ମୂଳକ ଭାବେ ଆରମ୍ଭ କରିଥିଲା। ଏବେ ଏହା ଜୁନ୍‌ ୧, ୨୦୨୪ରୁ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ।

‘ଷ୍ଟପ୍ କ୍ଲକ୍’ ନିୟମ ଅନୁଯାୟୀ, ଫିଲ୍ଡିଂ ଦଳକୁ ଗୋଟିଏ ଓଭର ଶେଷ ହେବାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ଆରମ୍ଭ କରିବାକୁ ପଡ଼ିବ। ଏଥିପାଇଁ ପଡ଼ିଆରେ ଲାଗିଥିବା ଏକ ‘ଇଲେକ୍ଟ୍ରୋନିକ୍’ ଘଣ୍ଟାରେ ୬୦ ରୁ ୦ ପର୍ଯ୍ୟନ୍ତ କାଉଣ୍ଟଡାଉନ୍ କରାଯିବ । ତୃତୀୟ ଅମ୍ପାୟାର କାଉଣ୍ଟଡାଉନ୍ ଆରମ୍ଭ କରିବା ସମୟ ସ୍ଥିର କରିପାରିବେ ।

ଯଦି ଫିଲ୍ଡିଂ ଦଳ ଏହି ନିୟମ ଉଲ୍ଲଘଂନ କରନ୍ତି, ତେବେ ଏଥିପାଇଁ ଦୁଇଟି ଚେତାବନୀ ଦିଆଯିବ । ପରବର୍ତ୍ତୀ ପ୍ରତିଟି ଉଲ୍ଲଂଘନ ପାଇଁ ୫ ରନ୍ ପେନାଲ୍ଟି ପଡ଼ିବ।

ଅବଶ୍ୟ ଆଇସିସି ଏହି ନିୟମରେ କିଛି ବ୍ୟତିକ୍ରମ ଯୋଡିଛି, ଯେପରିକି ଗୋଟିଏ ଓଭର ମଝିରେ ଜଣେ ନୂଆ ବ୍ୟାଟ୍ସମ୍ୟାନ୍ ଆସିଲେ କିମ୍ବା ‘ଡ୍ରିଙ୍କ୍ସ ବ୍ରେକ୍’ ଅବା ବ୍ୟାଟ୍ସମ୍ୟାନ୍ କିମ୍ବା ଫିଲ୍ଡରଙ୍କ ଆଘାତ ଭଳି ସ୍ଥିତିରେ ଘଣ୍ଟାକୁ ବନ୍ଦ କରାଯିବ। ଫିଲ୍ଡିଂ ଦଳର ନିୟନ୍ତ୍ରଣ ବାହାରେ କୌଣସି କାରଣରୁ ସମୟ ନଷ୍ଟ ହେଲେ ମଧ୍ୟ ଏହି ନିୟମ ଲାଗୁ ହେବ ନାହିଁ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଯେପରି ଶେଷ ହେବ ସେଥିପାଇଁ ଆଇସିସି ଏହି ନିୟମ ଆଣିଛି ।

Comments are closed.