ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ରୁଷକୁ ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶ

ହେଗ୍ (ନେଦରଲାଣ୍ଡ୍ସ): ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ରେ ରୁଷ ବିରୋଧରେ ୟୁକ୍ରେନର ବିଜୟ ହୋଇଛି । ଆଇସିଜେ ରୁଷକୁ ତୁରନ୍ତ ୟୁକ୍ରେନ ଉପରେ ଆକ୍ରମଣ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ରୁଷ ଏହି ଆଦେଶ ପାଳନ କରିବା ବାଧ୍ୟତାମୂଳକ | ଆଇସିଜେର ନିର୍ଦ୍ଦେଶ ନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ରୁଷ ତୁରନ୍ତ ଏହାକୁ ପାଳନ କରିବା ଉଚିତ। ଏହି ଆଦେଶକୁ ଅବମାନନା କଲେ ରୁଷ ବିଶ୍ବରେ ଆହୁରି ଅଲଗା ପଡ଼ିଯିବ ।

ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଆରମ୍ଭ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ସ୍ଥଗିତ ରଖିବାକୁ କୋର୍ଟ ରୁଷକୁ କହିଛନ୍ତି। ୧୩-୨ ଭୋଟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରୁଷକୁ ନିଶ୍ଚିତ କରିବାକୁ ହେବ ଯେ ଏହା ସାମରିକ କାର୍ଯ୍ୟାନୁଷ୍ଠାନ ଆଗକୁ ବଢ଼ାଇବା ପାଇଁ ଆଉ କୌଣସି ପଦକ୍ଷେପ ନେବ ନାହିଁ ।

ଅନ୍ତର୍ଜାତୀୟ ନ୍ୟାୟାଳୟ ସର୍ବସମ୍ମତି ନିର୍ଦ୍ଦେଶ କ୍ରମେ କହିଛନ୍ତି ଯେ ଉଭୟ ପକ୍ଷ ଏପରି କୌଣସି କାର୍ଯ୍ୟରୁ ନିବୃତ୍ତ ରହିବେ ଯାହା ଦ୍ଵାରା ବିବାଦ ବଢ଼ିପାରେ। ଆଇସିଜେ ଆଦେଶ ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ‘ୟୁକ୍ରେନ ରୁଷ ବିରୋଧରେ ମାମଲା ଜିତିଛି। ଏହି ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହି ଆଦେଶ ମାନିବା ବାଧ୍ୟତାମୂଳକ ଅଟେ | ରୁଷ ତୁରନ୍ତ ଏହି ଆଦେଶ ପାଳନ କରିବାକୁ ହେବ | ଏହି ଆଦେଶକୁ ଅବମାନନା କଲେ ରୁଷ ଅନ୍ତର୍ଜାତୀୟ ସମୁଦାୟରୁ ଆହୁରି ବିଚ୍ଛିନ୍ନ ହୋଇଯିବ।

ରୁଷର କଡ଼ା ମୁକାବିଲା ପାଇଁ ଆଇସିଜେ ୟୁକ୍ରେନକୁ ପ୍ରଶଂସା କରିଛନ୍ତି । ଅଦାଲତ କହିଛନ୍ତି ଯେ ରୁଷର ଆକ୍ରମଣ ବିରୁଦ୍ଧରେ ୟୁକ୍ରେନର ଲୋକ, ସେନା ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ସଂଗ୍ରାମ ପ୍ରଶଂସା ଯୋଗ୍ୟ। ରୁଷ ସମର୍ଥିତ ଦେଶମାନଙ୍କୁ ସାମରିକ ସମର୍ଥନ ନକରିବାକୁ ମଧ୍ୟ କୋର୍ଟ ଅପିଲ କରିଛନ୍ତି।

Comments are closed.