ଆଇଆଇଟି ନିର୍ଦ୍ଦେଶକଙ୍କ ଅଜବ ଯୁକ୍ତି, କହିଲେ ମାଂସ ଖାଇବା ଯୋଗୁଁ ହିମାଚଳ ପ୍ରଦେଶରେ ଘଟୁଛି ଭୂସ୍ଖଳନ

ନୂଆଦିଲ୍ଲୀ: ଆଇଆଇଟି ମଣ୍ଡି ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ବୟାନ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଶ୍ରୀଯୁକ୍ତ ବେହେରା ଏହି ଭିଡ଼ିଓରେ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି ଯେ ମାଂସ ଖାଇବା କାରଣରୁ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଭଳି ଘଟଣା ଘଟୁଛି ।

ଆଇଆଇଟି ଭଳି ସମ୍ମାନଜନକ ଶିକ୍ଷାନୁଷ୍ଠାନର ଜଣେ ନିର୍ଦ୍ଦେଶକଙ୍କ ଏପରି ମନ୍ତବ୍ୟରେ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । କଂଗ୍ରେସ ମଧ୍ୟ ତାଙ୍କୁ ସମାଲୋଚନା କରିଛି ଓ ତାଙ୍କୁ ହଟାଇବାକୁ ଦାବି କରିଛି ।

ଆଇଆଇଟି ମଣ୍ଡି ନିର୍ଦ୍ଦେଶକଙ୍କ ଏହି ଭାଇରାଲ ଭିଡ଼ିଓ ନେଇ କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ରେ ପ୍ରତିକ୍ରିୟା ରଖିଛନ୍ତି । ସେ ନିର୍ଦ୍ଦେଶକ ପଦରେ ବଜାୟ ରହିବା ଯୋଗ୍ୟ ନୁହଁନ୍ତି ବୋଲି ରମେଶ କହିଛନ୍ତି ।

ସେ ଲେଖିଛନ୍ତି ଯେ ଶ୍ରୀ ବେହେରା ଯେତେ ଦିନ ଅଫିସରେ ରହିବେ ସେତେ ଅଧିକ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ପ୍ରଭାବିତ ହେବ। ଆଇଆଇଟି ଭଳି ଅନୁଷ୍ଠାନରେ ବେହେରାଙ୍କ ଭଳି ବ୍ୟକ୍ତିଙ୍କୁ ନିଯୁକ୍ତି ନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ଟାର୍ଗେଟ୍ କରିଛନ୍ତି ।

ଭାଇରାଲ ଭିଡିଓରେ ଆଇଆଇଟି ମଣ୍ଡି ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳୁଛି ‌ । ତେବେ ଏହି ଭିଡ଼ିଓ କେବେକାର ସେ ସମ୍ପର୍କରେ କୌଣସି ସୂଚନା ନାହିଁ।

ଏହି ଭିଡ଼ିଓରେ ଛାତ୍ରମାନଙ୍କୁ ସମ୍ବୋଧନ କରି ବେହେରା ସେମାନଙ୍କୁ ମାଂସ ନ ଖାଇବାକୁ ସଂକଳ୍ପ କରିବାକୁ କହୁଛନ୍ତି। ସେ କହୁଛନ୍ତି ଯଦି ନିରୀହ ପଶୁମାନଙ୍କର ହତ୍ୟା ବନ୍ଦ ନହୁଏ ତେବେ ହିମାଚଳ ପ୍ରଦେଶରେ ବଡ଼ ଧରଣର ବିପର୍ଯ୍ୟୟ ଘଟିବ ।

ନିରୀହ ପଶୁପକ୍ଷୀଙ୍କ ହତ୍ୟାର ପରିବେଶ ଅବନତି ସହିତ ସମ୍ପର୍କ ରହିଛି, ଯାହାକୁ ଆମେ ଦେଖିପାରିବା ନାହିଁ । କିନ୍ତୁ ଏହା ଘଟୁଛି। ବାରମ୍ବାର ବଡ଼ ଭୂସ୍ଖଳନ ଏବଂ ବାଦଲ ଫାଟିବା ଭଳି ଘଟଣା ଘଟୁଛି ତାହା ଏହି ନିଷ୍ଠୁରତାର ପରିଣାମ ବୋଲି ସେ କହିଛନ୍ତି ।

Comments are closed.