ଇମ୍ରାନ ଖାନଙ୍କୁ ବଡ଼ ଝଟକା, ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ ଆୟୋଗ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ଼ ଝଟକା । ଇମ୍ରାନ ଖାନ ଆଉ ନିର୍ବାଚନ ଲଢ଼ିପାରିବେ ନାହିଁ। ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କୁ ପାଞ୍ଚ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ‌ ଥିବା ସମୟରେ ଇମ୍ରାନ ଖାନ ବିଦେଶ ନେତାଙ୍କ ଠାରୁ ଗ୍ରହଣ କରିଥିବା ଉପହାର ସମ୍ପର୍କିତ ତଥ୍ୟ ଲୁଚାଇବା ଅଭିଯୋଗରେ ନିର୍ବାଚନ ଆୟୋଗ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

୨୦୧୮ରେ କ୍ଷମତାକୁ ଆସିଥିବା ଇମ୍ରାନ ଖାନ ନିଜ କାର୍ଯ୍ୟକାଳରେ ୟୁଏଇ, ଆରବ ଭଳି ଧନୀ ରାଷ୍ଟ୍ରର ନେତାଙ୍କ ଠାରୁ ଦାମୀ ଉପହାର ଗ୍ରହଣ କରିଥିଲେ । ଏହିସବୁ ଉପହାର ଗୁଡ଼ିକୁ ସେ ତୋସାଖାନା(ଜାତୀୟ ଭଣ୍ଡାର ଗୃହ)କୁ ପ୍ରଦାନ କରିଥିଲେ । ପରେ କିନ୍ତୁ ସେହି ଉପହାର ଗୁଡ଼ିକୁ ସେ ରିହାତି ମୂଲ୍ୟରେ କିଣିଥିଲେ ଓ ଆଉ କିଛି ଚଢ଼ା ଦରରେ ବିକ୍ରି କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଆଇନ ବିଶେଷଜ୍ଞ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ଇମ୍ରାନ ଖାନ ପାକିସ୍ତାନ ସଂସଦରେ ନିଜ ସଦସ୍ୟତା ହରାଇବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଇମ୍ରାନଙ୍କ ଦଳ ପିଟିଆଇ ନେତା ଫଓ୍ବାଦ ଚୌଧୁରୀ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ‌।

Comments are closed.