ପାକିସ୍ତାନ ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା, ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନଙ୍କ ଦବଦବା

ଇସ୍‌ଲାମାବାଦ: ପାକିସ୍ତାନର ନିର୍ବାଚନ କମିଶନ ରବିବାର ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛି। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୧୦୧ଟି ଆସନରେ ବିଜୟୀ ହୋଇଛନ୍ତି ।

ଅନ୍ୟପକ୍ଷରେ ତିନିଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ୭୫ଟି ସିଟ୍ ଜିତି ସଂସଦରେ ସର୍ବ ବୃହତ୍ ଦଳ ଭାବେ ଉଭା ହୋଇଛି।

ବିଲାୱାଲ ଜର୍ଦ୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ଟି ଆସନ ପାଇଥିବାବେଳେ ବିଭାଜନ ସମୟରେ ଭାରତରୁ ଆସିଥିବା ଉର୍ଦ୍ଦୁ ଭାଷୀ ଦଳ ମୁତାହିଦା କ୍ବାମି ମୁଭମେଣ୍ଟ ପାକିସ୍ତାନ (ଏମକ୍ୟୁଏମ୍-ପି) ୧୭ଟି ସିଟ୍ ଜିତିଛି। ଅନ୍ୟ ଛୋଟ ଦଳଗୁଡିକ ଅବଶିଷ୍ଟ ୧୨ ଟି ଆସନ ଜିତିଛନ୍ତି |

ନିର୍ବାଚନ ହୋଇଥିବା ମୋଟ ୨୬୫ ଆସନ ମଧ୍ୟରୁ ପାକିସ୍ତାନର ନିର୍ବାଚନ କମିଶନ (ଇସିପି) ୨୬୪ଟି ଆସନର ଫଳାଫଳ ଘୋଷଣା କରିଛି। ଗୁରୁବାର ହୋଇଥିବା ନିର୍ବାଚନର ଫଳାଫଳ ଘୋଷଣା କରିବାରେ ଅସ୍ୱାଭାବିକ ବିଳମ୍ବ ଯୋଗୁଁ ବିଭିନ୍ନ ଦଳ ରାସ୍ତାକୁ ଓହ୍ଲାଇଥିଲେ ।

ଜାଲିଆତି ଅଭିଯୋଗ ଯୋଗୁଁ ପଞ୍ଜାବ ପ୍ରଦେଶର ଖୁଶାବର ଏନ୍ଏ-୮୮ ଆସନର ଫଳାଫଳକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ । ଅଭିଯୋଗର ଶୁଣାଣି ପରେ ଏହି ଆସନର ଫଳାଫଳ ଘୋଷଣା କରାଯିବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଆଉ ଗୋଟିଏ ଆସନରେ ବି ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ସ୍ବାଧୀନ ପ୍ରାର୍ଥୀମାନେ ପାକିସ୍ତାନର ନ୍ୟାସନାଲ ଆସେମ୍ଲିରେ ୧୦୧ଟି ଆସନ ପାଇଛନ୍ତି। ଏଥିମଧ୍ୟରୁ ଅଧିକାଂଶ ପ୍ରାର୍ଥୀଙ୍କୁ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସମର୍ଥନ ରହିଥିଲା। ସରକାର ଗଠନ ପାଇଁ ଗୋଟିଏ ଦଳକୁ ୧୩୩ଟି ଆସନ ଆବଶ୍ୟକ।

Comments are closed.