ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଖୋଲା ଚିଠି, ପ୍ରାଣ ହରାଇଥିବା ୭୦୦ ଚାଷୀଙ୍କୁ କୋଟିଏ ଟଙ୍କା କ୍ଷତିପୂରଣ, ଅଜୟ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ

ନୂଆଦିଲ୍ଲୀ: ତିନୋଟି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବିଜେପି ସାଂସଦ ବରୁଣ ଗାନ୍ଧୀ ସ୍ୱାଗତ କରିଛନ୍ତି। ଶନିବାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠିରେ ସେ କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ଉପରେ ମଧ୍ୟ ତୁରନ୍ତ ନିଷ୍ପତ୍ତି ନିଆଯିବା ଉଚିତ ଯାହା ଦ୍ଵାରା କୃଷକମାନେ ଆଶ୍ବସ୍ତ ହୋଇ ନିଜ ଘରକୁ ଫେରିପାରିବେ। କୃଷକଙ୍କ ଆନ୍ଦୋଳନରେ ପ୍ରାଣ ହରାଇଥିବା ସମସ୍ତ ୭୦୦ ଚାଷୀଙ୍କ ପାଇଁ ସେ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଯାହା ଦ୍ଵାରା ପୀଡିତଙ୍କ ପରିବାର ସହଜରେ ଜୀବନ ଅତିବାହିତ କରିପାରିବେ। ଲକ୍ଷ୍ମୀପୁର ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ

ଅଜୟ ମିଶ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ବରୁଣ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବାର ଗୋଟିଏ ଦିନ ପରେ ଟ୍ୱିଟ୍ କରି ବରୁଣ ଗାନ୍ଧୀ କହିଛନ୍ତି ଯେ ପ୍ରବଳ ବର୍ଷା, ଝଡ଼ ଏବଂ ପ୍ରତିକୂଳ ପାଗରେ ଦେଶର କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ କୃଷକମାନଙ୍କୁ ଅଭିନନ୍ଦନ ଜଣାଇବା ଉଚିତ୍ | ସେ କହିଛନ୍ତି ଯେ, ଯଦି ଉପଯୁକ୍ତ ସମୟରେ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥା’ନ୍ତା, ତେବେ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୦ ଚାଷୀଙ୍କ ଜୀବନ ରକ୍ଷା ହୋଇପାରନ୍ତା।

ଲକ୍ଷ୍ମୀପୁର ଖେରୀ ହିଂସାକୁ ହୃଦୟ ବିଦାରକ ଏବଂ ଗଣତନ୍ତ୍ରର ଏକ କଳା ଦିବସ ବୋଲି କହି ପିଲିଭିଟ୍ ସାଂସଦ ବରୁଣ ଗାନ୍ଧୀ ଏହି ମାମଲାର ତୁରନ୍ତ ନିରପେକ୍ଷ ତଦନ୍ତ କରାଯିବା ସହ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ସମେତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି।

Comments are closed.