ୟୁକ୍ରେନ ଯୁଦ୍ଧକୁ ମାସେ ପୂରିଲା, ଜାତିସଂଘରେ ରୁଷର ପ୍ରସ୍ତାବ ଖାରଜ, ଭୋଟରୁ ପୁଣି ଦୂରେଇ ରହିଲା ଭାରତ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଆଜି ଏକ ମାସ ପୂରିଛି | ଫେବୃଆରୀ ୨୪ରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। କିନ୍ତୁ ଏହି ଆକ୍ରମଣର ଗୋଟିଏ ମାସ ପରେ ମଧ୍ୟ ରୁଷ ୟୁକ୍ରେନକୁ ନୁଆଁଇବାରେ ସମର୍ଥ ହୋଇପାରି ନାହିଁ। ଏବେ ମିଳିତ ଜାତିସଂଘ ପରିଷଦ (ୟୁଏନଏସସି) ରେ ରୁଷକୁ ଆଉ ଏକ ଝଟକା ଲାଗିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବିଳମ୍ବିତ ରାତିରେ ଅନୁଷ୍ଠିତ ବୈଠକରେ ରୁଷକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା। ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରିବା ପାଇଁ ରୁଷ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଗତ କରିଥିଲା । କିନ୍ତୁ କୌଣସି କାରଣ ନ ଦର୍ଶାଇ ରୁଷ ଏହି ପ୍ରସ୍ତାବ ଆଣିଥିଲା । ରୁଷର ଏହି ପ୍ରସ୍ତାବ ୧୩-୨ ଭୋଟରେ କାଟ୍ ଖାଇଥିଲା । ଭାରତ ମଧ୍ୟ ପୁଣିଥରେ ଏହି ଭୋଟରୁ ଦୂରେଇ ରହିଥିଲା | ଏହି ପ୍ରସ୍ତାବ ସମର୍ଥନରେ କେବଳ ନିଜେ ରୁଷ ଏବଂ ଚୀନ୍ ଭୋଟ୍ ଦେଇଥିଲେ ।

ମିଳିତ ଜାତିସଂଘରେ ରୁଷର ପ୍ରସ୍ତାବ ଉପରେ ଭୋଟ୍ ନ ଦେଇ ଭାରତ ପୁଣିଥରେ ପ୍ରମାଣିତ କରିଛି ଯେ ଆମେ ୟୁକ୍ରେନ ଯୁଦ୍ଧରେ ନିରପେକ୍ଷ। ଆମେ ନା କାହା ସହିତ ଅଛୁ ନା କାହା ବିରୁଦ୍ଧରେ | ଏହାପୂର୍ବରୁ ମଧ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ବାରା ରୁଷ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବ ଉପରେ ଭାରତ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲା, ଯାହା ଉପରେ ଅନେକ ନାଟୋ ଦେଶ ପ୍ରଶ୍ନ ଉଠାଉଥିଲେ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ପରାଜିତ ହୋଇଥାଇପାରେ, କିନ୍ତୁ ୟୁକ୍ରେନରେ ଏହା ଶୀଘ୍ର ନିଜର ସ୍ଥିତିକୁ ସୁଦୃଢ଼ କରୁଛି। କଳା ସାଗରକୁ ଲାଗିଥିବା ଖେରସନ, ମାରିଓପୋଲ, ଓଡେସା ସମେତ ପ୍ରାୟ ସମସ୍ତ ବନ୍ଦର ସହର ଏହାର ଅଧୀନକୁ ଆସିଛି। ଉତ୍ତର ପଟୁ ବେଲାରୁଷରୁ ରୁଷିଆର ରେଡ୍ ଆର୍ମି ରାଜଧାନୀ କିଭରେ ଏହାର ଅବରୋଧକୁ କଡାକଡି କରୁଛି । କିଭର ଆବାସିକ ଅଞ୍ଚଳରେ ଭୟଙ୍କର ଆକ୍ରମଣ ହୋଇଛି ‌। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମନୋମନୋବ ଭାଙ୍ଗି ନାହିଁ। ଆକାଶରୁ ବର୍ଷୁଥିବା ବୋମା ଓ କ୍ଷେପଣାସ୍ତ୍ର ମଧ୍ୟରେ ଜେଲେନସ୍କି କିଭ୍ ରାସ୍ତାକୁ ଓହ୍ଲାଇ ରୁଷକୁ କଡ଼ା ଆହ୍ବାନ ଦେଇଛନ୍ତି ।

ଭୋଲୋଡିମିର ଜେଲେନସ୍କି କହିଛନ୍ତି, ଆମ ସମସ୍ତଙ୍କୁ ରୁଷର ଏହି ଆକ୍ରମଣ ରୋକିବାକୁ ପଡିବ। ବିଶ୍ୱକୁ ଏହି ଯୁଦ୍ଧ ବନ୍ଦ କରିବା ଜରୁରୀ | ଯେଉଁମାନେ ୟୁକ୍ରେନକୁ ସମର୍ଥନ କରୁଛନ୍ତି ମୁଁ ସେମାନଙ୍କ ନିକଟରେ କୃତଜ୍ଞ, କିନ୍ତୁ ଯୁଦ୍ଧ ଜାରି ରହିଛି। ସାଧାରଣ ନାଗରିକଙ୍କ ବିରୋଧରେ ଆତଙ୍କ ଜାରି ରହିଛି। ଏହାକୁ ମାସେ ହୋଇଗଲା! ବହୁତ ଲମ୍ବା! ସମସ୍ତ ୟୁକ୍ରେନୀୟ ଏବଂ ପୃଥିବୀର ପ୍ରତ୍ୟେକ ସ୍ବାଧୀନ ବ୍ୟକ୍ତିଙ୍କ ପାଇଁ ମୋ ଆତ୍ମା ବ୍ୟଥିତ । ତେଣୁ ମୁଁ ଯୁଦ୍ଧକୁ ବିରୋଧ କରିବାକୁ କହୁଛି!

Comments are closed.