ଆଜିଠୁ ଦ୍ୱିତୀୟ ଟେଷ୍ଟ, ଦକ୍ଷିଣ ଆଫ୍ରିକାରେ ପ୍ରଥମ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସୋମବାର ଠାରୁ ୱାଣ୍ଡରର୍ସରେ ଆରମ୍ଭ ହେଉଛି । ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ବୃହତ ବିଜୟ ପରେ ଭାରତ ତିନି ମାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ଭାରତ ଜୋହାନ୍ସବର୍ଗରେ ମଧ୍ୟ ଜୟଯାତ୍ରା ଜାରି ରଖି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ସିରିଜ୍ ଜିତି ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।

ଜୋହାନ୍ସବର୍ଗ ଭାରତ ପାଇଁ ଶୁଭ ଗ୍ରାଉଣ୍ଡ ସାବ୍ୟସ୍ତ ହୋଇଛି । ଭାରତ ବାହାରେ ଏହି ଭେନ୍ୟୁ ଟିମ୍ ଇଣ୍ଡିଆର ଏକ ଗଡ଼ ଭାବେ ବିବେଚିତ । ଦକ୍ଷିଣ ଆଫ୍ରିକା ଦଳର ଗଡ଼ କୁହାଯାଉଥିବା ସେଞ୍ଚୁରିଅନ ଦଖଲ ପରେ ଏବେ ଭାରତ ଏବେ ନିଜର ‘ଗଡ଼’ ଜୋହାନ୍ସବର୍ଗରେ ଇତିହାସ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛି । ଅନ୍ୟପଟେ ଅଭିଜ୍ଞତା ଅଭାବରୁ ଦକ୍ଷିଣ ଆଫ୍ରିକା ସଂଘର୍ଷ କରୁଥିବା ବେଳେ ଦକ୍ଷିଣ ଆଫ୍ରିକାରେ ପ୍ରତୀକ୍ଷିତ ସିରିଜ ଜିତିବା ପାଇଁ ଭାରତ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି ।

୨୦୧୮ରେ ଜୋହାନ୍ସବର୍ଗରେ ଏକ ଚ୍ୟାଲେଞ୍ଜିଂ ପିଚରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଥିଲା ଭାରତ । ସେତେବେଳେ ଦକ୍ଷିଣ ଆଫ୍ରିକା ଦଳରେ ଆମଲା, ଡି’ଭିଲିୟର୍ସ, ଡୁ’ପ୍ଲେସିସଙ୍କ ପରି ଷ୍ଟାର ଖେଳାଳି ଥିଲେ । ସେହି ବିଜୟ ହିଁ ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଟେଷ୍ଟ ଦଳ ଗଠନର ମୂଳଦୁଆ ପକାଇଥିଲା ଏବଂ ବିଦେଶରେ ପ୍ରତିକୂଳ ସ୍ଥିତିରେ ଜିତିବାର ଆତ୍ମବିଶ୍ୱାସ ଭରିଥିଲା । ଗଲା ଚାରି ବର୍ଷ ଧରି ଭାରତ ଟେଷ୍ଟରେ ଏକ ଦୁର୍ଦ୍ଦର୍ଶ ଦଳ ଭାବେ ବିଦେଶ ମାଟିରେ ଗୋଟିଏ ପରେ ଗୋଟିଏ ସ୍ମରଣୀୟ ବିଜୟ ହାସଲ କରିଆସିଛି ।

ଯଦି ୱାଣ୍ଡରର୍ସରେ ଭାରତ ବିଜୟୀ ହୁଏ, ତେବେ କ୍ରିକେଟର ଏହି ପାରମ୍ପରିକ ଫର୍ମାଟରେ ଭାରତର ସର୍ବକାଳୀନ ମହାନ ଅଧିନାୟକଙ୍କ ମଧ୍ୟରେ କେହଲିଙ୍କ ସ୍ଥିତି ଆହୁରି ମଜବୁତ ହେବ । ନ୍ୟୁଜିଲାଣ୍ଡକୁ ଛାଡ଼ି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ସିରିଜ ଜିତିବାର ବିରଳ ମାଇଲଖୁଣ୍ଟ ହାସଲ କରିବେ କୋହଲି । ଏଭଳି କୀର୍ତ୍ତିମାନର ଅଧିକାରୀ ହେବା ପାଇଁ କୋହଲି ଓ ଭାରତ ପାଖରେ ଏହା ଠାରୁ ଆଉ ବଡ଼ ସୁଯୋଗ ମିଳିବନି । କାରଣ ଦକ୍ଷିଣ ଆଫ୍ରିକା ଆଉ ଆଗ ଭଳି ଦୁର୍ଦ୍ଦର୍ଶ ଦଳ ହୋଇ ରହିନାହିଁ । ପୂର୍ବଭଳି ଭାରତକୁ ଟକ୍କର ଦେବା ପାଇଁ ଦକ୍ଷିଣ ଆଫ୍ରିକା ପାଖରେ ଆଉ ଗ୍ରେମ ସ୍ମିଥ୍‌, ଆମଲା, କାଲିସ୍‌, ଷ୍ଟେନ୍‌, ମୋର୍କେଲ, ଡି’ଭିଲିୟର୍ସ ନାହାଁନ୍ତି । ଏହି ଦଳ ଏବେ ଏକ ପରିବର୍ତ୍ତନ ଧାରା ଦେଇ ଗତି କରୁଛି ।

ସେଞ୍ଚୁରିଅନରେ ଶୋଚନୀୟ ପରାଜୟ ପରେ ୱାଣ୍ଡରର୍ସରେ ଇନଫର୍ମ ଭାରତକୁ ରୋକିବା ପାଇଁ ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ହେବ । ସେଞ୍ଚୁରିଅନ ଟେଷ୍ଟ ପରେ ଦଳର ଅନ୍ୟତମ ଅଭିଜ୍ଞ ଖେଳାଳି ତଥା ୱିକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକଙ୍କ ମାତ୍ର ୨୯ ବର୍ଷ ବୟସରେ ଅଚାନକ ଅବସର ଦକ୍ଷିଣ ଆଫ୍ରିକାର ସମସ୍ୟା ଆହୁରି ବଢାଇ ଦେଇଛି । ଡି’କକଙ୍କ ସ୍ଥାନରେ ୨୫ ବର୍ଷୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରାଏନ୍ ରିକଲଟନ୍ ୱାଣ୍ଡରର୍ସରେ ଡେବ୍ୟୁ କରିବା ସମ୍ଭାବନା ରହିଛି ।

ରିଲେଟନଙ୍କୁ ଜଣେ ପ୍ରତିଭା ସମ୍ପନ୍ନ ଦକ୍ଷ ଖେଳାଳି ଭାବେ ବିବେଚନା କରାଯାଉଛି । ଦକ୍ଷିଣ ଆଫ୍ରିକାର ଘରୋଇ କ୍ରିକେଟରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ହେଲେ ଅନ୍ତର୍ଜାତୀୟ ସ୍ତରରେ ନିଜ ପଦାର୍ପଣରେ ଯଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ଭଳି ବୋଲରଙ୍କୁ ସାମ୍ନା କରିବା ତାଙ୍କ ପାଇଁ ମସ୍ତବଡ଼ ଚ୍ୟାଲେଞ୍ଜ ହେବ । ଦୀର୍ଘ ଦିନ ପରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳକୁ ଫେରିଥିବା ଦ୍ରୁତ ବୋଲର ଡୁଏନ୍ ଓଲିଭର ମଧ୍ୟ ଦ୍ୱିତୀୟ ଟେଷ୍ଟରେ ଖେଳିବା ନିଶ୍ଚିତ । ସେ ଆହତ ୱିଆନ ମୁଲ୍ଡରଙ୍କ ସ୍ଥାନ ନେବେ ।

Comments are closed.