ଆଜି ‘ଇଣ୍ଡିଆ’ ମେଣ୍ଟର ବୈଠକ, ଏହି ସବୁ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରୁ ୯୨ ବିରୋଧୀ ସାଂସଦ ନିଲମ୍ବିତ ହେବାର ଦିନକ ପରେ ମଙ୍ଗଳବାର ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଞ୍ଚଳିକ ଦଳଗୁଡିକ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଶୀଘ୍ର ଚୂଡ଼ାନ୍ତ କରିବାକୁ ଦାବି କରିପାରନ୍ତି । ଯାହା ଦ୍ଵାରା ସେମାନେ ପ୍ରାର୍ଥୀ ଚୟନ ଆରମ୍ଭ କରିପାରିବେ ଏବଂ ମିଳିତ ରାଲି ସହ ପ୍ରଚାର କାର୍ଯ୍ୟକ୍ରମ ବି ଆରମ୍ଭ କରିପାରିବେ। ଜାତି ଆଧାରିତ ଜନଗଣନା ମଧ୍ୟ ଏହି ବୈଠକର ଅନ୍ୟତମ ଏଜେଣ୍ଡା ହେଇପାରେ । ଏହାଛଡ଼ା ‘ଇଣ୍ଡିଆ’ ମେଣ୍ଟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେଲା ସଂଯୋଜକ ଚୟନ ନେଇ ସହମତି ସୃଷ୍ଟି କରିବା |

କଂଗ୍ରେସ ସୂତ୍ରରୁ ଜଣାପଡିଛି ଯେ ବିଜେପିର ମୁକାବିଲା ପାଇଁ ସହଯୋଗୀ ଦଳ ଏକ ବିକଳ୍ପ ଏଜେଣ୍ଡା ଉପରେ ଆଲୋଚନା କରିବେ ଏବଂ ମିଳିତ ଥିମ୍ “ ମୈ ନହିଁ , ହମ୍(ମୁଁ ନୁହେଁ, ଆମେ)” ସହିତ ଆଗକୁ ବଢ଼ିବା । ୨୦୧୪ ଲୋକସଭା ନିର୍ବାଚନରେ ଏହା କଂଗ୍ରେସର ଅନ୍ୟତମ ସ୍ଲୋଗାନ ଥିଲା। ସୂତ୍ରରୁ ପ୍ରକାଶ ଯେ ‘ଇଣ୍ଡିଆ’ ମେଣ୍ଟ ବୈଠକରେ ଜାତି ଭିତ୍ତିକ ଜନଗଣନା, ଏମଏସପିର ଆଇନଗତ ଗ୍ୟାରେଣ୍ଟି ଏବଂ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇପାରେ।

Comments are closed.