ରୁଷ୍-ୟୁକ୍ରେନ ବିବାଦ: ସଂଯମ ଆଚରଣ ପାଇଁ ଦୁଇ ଦେଶକୁ ଭାରତର ପରାମର୍ଶ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ପଦକ୍ଷେପ ଯୁଦ୍ଧର ଆଶଙ୍କା ବଢ଼ାଇଦେଇଛି | ଏହି ପରିପ୍ରେକ୍ଷୀରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଏକ ବୈଠକରେ କହିଛି ଯେ ୟୁକ୍ରେନ ସୀମାରେ ବଢୁଥିବା ଉତ୍ତେଜନା ଚିନ୍ତାଜନକ ବିଷୟ ଏବଂ ଏହା ଅଞ୍ଚଳର ଶାନ୍ତି ଏବଂ ନିରାପତ୍ତାକୁ ଦୁର୍ବଳ କରିପାରେ। ଏଥି ସହିତ ଭାରତ କହିଛି ଯେ ୟୁକ୍ରେନ ସହ ଜଡିତ ଘଟଣାକ୍ରମ ତଥା ରୁଷ୍ ଦ୍ବାରା ୟୁକ୍ରେନର ଦୁଇ ବିଦ୍ରୋହୀ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରାଯିବା ନିଷ୍ପତ୍ତି ଉପରେ ଆମେ ନଜର ରଖିଛୁ।

ୟୁକ୍ରେନ ଉପରେ ୟୁଏନଏସସି ବୈଠକରେ ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ଟି.ତିରୁମୂର୍ତ୍ତି କହିଛନ୍ତି ଯେ ଆମେ ସମସ୍ତ ଦଳକୁ ସଂଯମ ପାଇଁ ଆହ୍ବାନ କରୁଛୁ। ଆମେ ବିଶ୍ୱାସ କରୁ ଯେ କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ।

ୟୁକ୍ରେନରେ ସାଧାରଣ ନାଗରିକଙ୍କ ସୁରକ୍ଷା ଜରୁରୀ ବୋଲି ଟିଏସ ତିରୁମୁର୍ତ୍ତୀ କହିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ର ଓ ନାଗରିକ ବାସ କରନ୍ତି ଏବଂ ଅଧ୍ୟୟନ କରନ୍ତି | ଭାରତୀୟଙ୍କ ସୁରକ୍ଷା ଆମର ପ୍ରାଥମିକତା |

Comments are closed.